Unknown

 

 

 

 

 

 

 

 

 

ଉତ୍କଳ ମିଳନ

ଶ୍ରୀ ଚିନ୍ତାମଣି ମହାନ୍ତି

 

ଉତ୍କଳ ମିଳନ

 

ଦେଖିଲି ନିଶୀଥ କାଳେ ଅଦ୍ଭୁତ ସ୍ୱପନ-

ସହସା ଦ୍ୱିଫାଳ ହୋଇ ନୈଶ ଅନ୍ଧକାର

ଫାଟିଗଲା ଊର୍ଦ୍ଧ୍ୱଦେଶେ, ସେହି ଛିଦ୍ରପଥେ

ଦିଶିଲା ଉଜ୍ଜ୍ୱଳ ଜ୍ୟୋତି-ସ୍ୱର୍ଣ୍ଣରେଖା ପ୍ରାୟ ।

ଦ୍ୱିପାଶୁ ଆଡ଼େଇ ଦେଇ ଅନ୍ଧାରେ ସେ ଜ୍ୟୋତି

ଧରିଲା ତୋରଣାକାର, ସେ ତୋରଣ ମଧ୍ୟୁ

ବାହାରିଲା ସ୍ୱର୍ଣ୍ଣରଥ-ମଣିମୁକ୍ତାଖଚୀ ।

ରଥୋପରି ଉପବିଷ୍ଟା ରତ୍ନ-ସିଂହାସନେ

ରାଜରାଜେଶ୍ୱରୀ ଦେବୀ ମୂର୍ତ୍ତି-ଜ୍ୟୋତିର୍ମୟୀ,

ଗଠିତ ସେ ମୂର୍ତ୍ତି ଯେହ୍ନେ ଶଶାଙ୍କ ଜ୍ୟୋତ୍ସ୍ନାରେ ।

ଆହା କି ଅତୁଳ ରୂପ, ଭକ୍ତି ଆକର୍ଷକ,

କଳ୍ପନାରେ ସେ ରୂପକୁ ରୂପର ବିଧାତା

ନ ପାରିବ ଗଢ଼ି କେବେ, ପ୍ରତେ ହୁଏ ଯେହ୍ନେ-

ଗଢ଼ିଛନ୍ତି ନିଜେ ଦେବୀ ନିଜ ଦିବ୍ୟରୂପ

ନିଜ ମନୋମତ କରି ନିଜ କଳ୍ପନାରେ,

ନାହିଁ ତାର ଉପମା, ସେ ଉପମା-ଉପମା ।

ମଧୁର ସୁନ୍ଦର ମୂର୍ତ୍ତି, ମାତୃମୂର୍ତ୍ତି ଯଥା,

ଅମଳ-କମଳଜିତ ନେତ୍ରର ଦୃଷ୍ଟିରୁ,

ଝରିପଡ଼େ ମାତୃସ୍ନେହ, ହାସ୍ୟରୁ ଅମୃତ,

ପଙ୍କଜ ପ୍ରଭାରେ ଗଢ଼ା ଶିରର ମୁକୁଟ ।

ଶ୍ରୀଅଙ୍ଗରେ ବିଜଡ଼ିତ ଚାରୁ ଝୀନ ବାସ

କୁସୁମ କେଶରେ ବୁଣା, ରତ୍ନ ଆଭାମୟ,

ସର୍ବାଙ୍ଗରେ ବିଭୂଷିତ ପୁଷ୍ପ ଅଳଙ୍କାର ।

ଖଟିଛନ୍ତି ଖଟଣୀରେ ଅପ୍‌ସରାମଣ୍ଡଳୀ,

ଧରିଛି କେ ଛତ୍ର, କେହି ଢାଳୁଛି ଚାମର,

କେ ସଞ୍ଚାଳେ ଖଦି, କେ ପକାଏ ପାଏଡ଼ା ।

କିଏ ସେ ଛାମୁରେ ଉଭା ସ୍ୱର୍ଣ୍ଣାଲଟ ଧରି

ଉଭା ଯଥା ସୂର୍ଯ୍ୟମୁଖୀ-ସୂର୍ଯ୍ୟ ପ୍ରିୟସଖୀ

ଶିଶିର ସମ୍ରାଜ୍ଞୀଙ୍କର ଆଲଟଧାରିଣୀ ।

ବାଜେ ଶଙ୍ଖ, ବେଣୁ, ବୀଣା, ମୃଦଙ୍ଗ ମନ୍ଦିରା

ଶୁଣି ସେ ପୃଥୁଳ ସ୍ୱର-ମଧୁର, କୋମଳ

ଉଲୁସି ଉଠୁଛି ହିଆ ଅଜ୍ଞାତ ଆନନ୍ଦେ ।

ଉଡ଼ୁଅଛି ଫରଫରେ ଧବଳ ନିଶାଣ,

ଖେଳନ୍ତି ମୀନାଳୀ ଯଥା ସାଗରେ ଚହଟି ।

ଆସିଲା ତଳକୁ ଖସି ହିରଣ୍ମୟ ରଥ

ପ୍ରଦୀପ ପଞ୍ଜରୀ ପ୍ରାୟ, ହେଲା ଅବସ୍ଥିତ

ଦାରୁବ୍ରହ୍ମ-ଅଧିଷ୍ଠିତ ନୀଳାଚଳ ଧାମେ-

ଚିତ୍ରଶୁକ୍ତି-କାରକିତ ବାରିଧି ବେଳାରେ,

(ତୀର୍ଥରାଜ ମହୋଦଧି ଚୁମ୍ବେ ଯା ଚରଣ

ଉଚ୍ଚାରି ଓଁ କାର ଧ୍ୱନି ଗଭୀର ନିର୍ଘୋଷେ)

ରଥୋପରି ଉପବିଷ୍ଟା ସେ ଅଜ୍ଞାତ ଦେବୀ

ଚାହିଁ ନୀଳଚକ୍ରଚୂଡ଼ ଶ୍ରୀମନ୍ଦିର ପ୍ରତି,

ନମିଲେ ଭକ୍ତିରେ-ଯୋଡ଼ି କରପଦ୍ମ ଯୁଗ ।

କିଏସେ ସେ ଦେବୀ, ତାଙ୍କୁ ନ ପାରିଣ ଚିହ୍ନି

ଘାଣ୍ଟି ହେଲା ପ୍ରାଣ-ମନ-ହୃଦ ଅବିରତ-

ପରିପୂର୍ଣ୍ଣ ଆଗ୍ରହର ଅଧୀର ଆବେଗେ ।

ଏ କାଳେ ପଡ଼ନ୍ତେ ଦୃଷ୍ଟି ରଥଧ୍ୱଜ ପରେ,

ଦେଖିଲି ଅଙ୍କିତ ତହିଁ ସୁବର୍ଣ୍ଣ ଅକ୍ଷରେ-

‘‘ବିଜେ ରାଜରାଜେଶ୍ୱରୀ ଉତ୍କଳ ଜନନୀ

କୋଟିତୀର୍ଥହାରାମୟୀ, ସୁଜଳା, ସୁଫଳା ।’’

ତୁଟିଲା ସନ୍ଦେହ ମୋର, ହେଲି ମୁଁ ଲଜ୍ଜିତ,

କି ଦୁର୍ଭାଗ୍ୟ, ପୁତ୍ର ହୋଇ ନ ପାରିଲି ଚିହ୍ନି

ନିଜ ଜନନୀଙ୍କୁ ମୁହିଁ-କୃତଘ୍ନ, ଅଧମ !

ଉଛୁଳି ଉଠିଲା ହୃଦ ଅନୁଶୋଚନାରେ,

ନିଜକୁ ଚାବୁକାଘାତ କଲା ନିଜ ମନ ।

ଚିହ୍ନନ୍ତି କେମନ୍ତେ ଅବା, ଦୀନା ମାତା ମୋର

ରାଜରାଜେଶ୍ୱରୀ ବେଶ ଧରିଛନ୍ତି ଆଜି,

ଏ ମହାପରିବର୍ତ୍ତନ ଅତି ଆକସ୍ମିକ,

ବୁଝିବା ସହଜ ନୁହେଁ ହଠାତ ଦୃଷ୍ଟିରେ,

ଯାହା ହେଉ, ଅପରାଧ-ଏ ମାତୃ-ବିସ୍ମୃତି,

ଅନୁତାପ ଏ ପାପର ମହା ପ୍ରାୟଶ୍ଚିତ୍ତ,

ନମିଲି ଜନନୀ ପଦେ ଅଷ୍ଟାଙ୍ଗ ଲୋଟାଇ ।

ଆଶୀର୍ବାଦ ବିହି ଦେବୀ ମୃଦୁ ମଧୁହାସ୍ୟେ,

ଆଦେଶିଲେ ବସିବାକୁ ଶ୍ରୀହସ୍ତ ସଙ୍କେତେ ।

ବସିଲି ବାଲୁକା-ଶେଯେ, କୋମଳ, ଶୀତଳ,

ମାତୃଅଙ୍କ ପ୍ରାୟେ ତାହା ଦୁଃଖତାପହର ।

ପ୍ରବେଶିଲେ ଏ ସମୟେ ସନ୍ନ୍ୟାସିନୀ ଜଣେ

ଗୈରିକବସନା, କଣ୍ଠେ ରୁଦ୍ରାକ୍ଷର ମାଳା,

ଶୋଭେ ମଣିବନ୍ଧେ ଚାରୁ ରୁଦ୍ରାକ୍ଷ ବଳୟ,

ଜ୍ୟୋତିର୍ମୟ ତନୁ ଗଢ଼ା ଅତସୀ ପ୍ରଭାରେ ।

ପ୍ରତେ ହୁଏ ଯେହ୍ନେ ଦୟା, କ୍ଷମା ବା ତପସ୍ୟା

ଏ ତିନିଙ୍କ ମଧ୍ୟୁ କେହି ସନ୍ନ୍ୟାସିନୀରୂପେ

ଉପଗତ ଆସି, କିମ୍ବା କେଉଁ ଦେବବାଳା

ଭ୍ରମନ୍ତି ବେଳାରେ ଆସି ଛଦ୍ମବେଶ ଧରି ।

ଦେଖିଲେ ସେ ମୂର୍ତ୍ତି, ଭକ୍ତି ବଳେ ବଳେ ଯାଇ

ବୋଳି ହେବ ଶିରେ ତାର ପୁଣ୍ୟ ପଦରେଣୁ,

ସୁବର୍ଣ୍ଣ ଥାଳୀରେ ଧରି ଜଉ ପାଟଶାଢ଼ୀ

ଚାରୁ ଜରି ଧଡ଼ି, ଥୋଇ ତାହା ଭେଟିରୂପେ

ଦେବୀଙ୍କ ଛାମୁରେ, ତାଙ୍କୁ ନମିଲେ ତାପସୀ,

ନମେ ଯଥା ଶାନ୍ତ ଶିଷ୍ୟା ଉପାଧ୍ୟାୟା ପଦେ ।

ସମ୍ଭ୍ରମେ ଉଠାଇ ତାଙ୍କୁ ଉତ୍କଳ ଜନନୀ

ଭାଷିଲେ ମଧୁରେ, ‘‘କିଏ ଗଞ୍ଜାମ ଧରଣି,

କବିକୀର୍ତ୍ତି ହାରବକ୍ଷା ଗିରିଗଭାମୟୀ,

କୁଶଳ ତ ? ଆସ ସଖି, ବସ ମୋ ପାଶରେ ।’’

ଏକ ସିଂହାସନ ପରେ ବସିଲେ ଉଭୟେ,

ଶ୍ରଦ୍ଧା ପ୍ରୀତି, କିମ୍ବା ଶକ୍ତି ସାଧନା ଯେସନ,

ଅଥବା ପୂର୍ଣ୍ଣିମା ସହ ଜ୍ୟୋତ୍ସ୍ନାରାଣୀ ଯଥା ।

ଭାଷିଲେ ତାପସୀ-‘‘ଦେବୀ, କାହିଁଛି କୁଶଳ

ମୋର, ନାହିଁ ତାହା ସଙ୍ଗେ ସ୍ୱପ୍ନରେ ସାକ୍ଷାତ,

ଯେଉଁ ଦିନ ତୁମ୍ଭ ସଙ୍ଗେ ଘଟିଲା ବିଚ୍ଛେଦ,

ସେ ଦିନୁ ବହିଛି ଏହି ସନ୍ନ୍ୟାସିନୀ ବେଶ,

କେଜାଣି କି ପୂର୍ବ ପୁଣ୍ୟେ ରହିଛି ଜୀବନ ।

ଭାବୁଥିଲି ମନେ ମନେ ଆସିବା ସମୟେ-

ବହୁଦିନ ଅଦର୍ଶନେ ମୋତେ ଅବା ଦେବୀ

ଯାଇଥିବେ ଭୁଲି, କିନ୍ତୁ ଦେଖିଲି ପ୍ରତ୍ୟକ୍ଷେ

ବିପରୀତ ତାର, ହେଲି ପରାଜିତ ମୁହିଁ;

କିନ୍ତୁ ସେହି ପରାଜୟେ ମଣୁଛି ସୌଭାଗ୍ୟ !’’

ଭାଷିଲେ ମଧୁର ହାସ୍ୟେ ଉତ୍କଳ ଜନନୀ-

‘‘ଭୁଲିବି କାହାକୁ ସଖି, ହାୟ, ତୁମ୍ଭଙ୍କୁ ନା,

ତୁମ୍ଭେ ମୋର, ମୁ ତୁମ୍ଭର, ତୁମ୍ଭେ ମୋର ଅଙ୍ଗ,

ଶାଖାକୁ କି କେତେବେଳେ ଭୁଲିପାରେ ଲତା,

କିମ୍ବା ଶରୀରକୁ ପ୍ରାଣ, ଅସମ୍ଭବ ତାହା ।

ଜାଣ ତ ମୋ ଦୁଃଖ, ହସ୍ତ-ପଦ-ଶିର ମୋର

ରହିବାରୁ କାରାରୁଦ୍ଧ ତିନି କାରାଗାରେ,

ଭୁଞ୍ଜିଛି ମୁଁ ଯେ ଦୁର୍ଗତି, କହି ନୁହେଁ ତାହା

ବର୍ଣ୍ଣି ନୁହେଁ ତାହା କୋଟି ସାରସ୍ୱତ ତୁଣ୍ଡେ,

ଶୁଣିଲେ ତା ଫାଟିଯିବ ପାଷାଣ-ହୃଦୟ ।

ହଲିବାକୁ ସୁଦ୍ଧା ମୋର ଥିଲା ନାହିଁ ଚାରା,

ଧରି ଖାଲି ଗଣ୍ଡି ଖଣ୍ଡ ରହିଥିଲି ପଡ଼ି

ନିଷ୍ପନ୍ଦ ଅସାଢ଼ ହୋଇ, ହରାଇ ଚେତନା,

ବହୁଥିଲା ଶ୍ୱାସ ମାତ୍ର ଅତି କ୍ଷୀଣଧାରେ ।

ପାଳି ଲାଳି ରଖିଥିଲି ପୁତ୍ରଠାରୁ ବଳି

ଯେଉଁ ଭଗ୍ନୀପୁତ୍ରେ, ହାୟ ହେଲେ ସେ ଭଗାରୀ,

ମୋ ସ୍ନେହର ପ୍ରତିଦାନ ଦେଲେ ଏହି ଭାବେ,

ଯୁଗଧର୍ମ ତାହା, ସବୁ ଏ ଯୁଗେ ସମ୍ଭବ ।

ଭୁଞ୍ଜିଛ ତ ଦେହେ ତୁମ୍ଭେ ତେଲଙ୍ଗା-ଦୌରାତ୍ମ୍ୟ,

ମିଶାଇ ନ ଦେବା ପାଇଁ ତୁମ୍ଭଙ୍କୁ ମୋ ସଙ୍ଗେ

ଫାନ୍ଦିଲେ ସେ କେତେ କୂଟ, କେତେ ମାୟାଜାଲ,

ମିଥ୍ୟା ପ୍ରତାରଣା ସୁଦ୍ଧା ନ ଲଭିଲା ତ୍ରାହି ।

ଆଉ ଜଣେ ପୁଅ ମୋର ଗୁଣଜ୍ଞ ବୀରେନ୍ଦ୍ର

ସାସମଲ ପାଲଟିଛି ବଙ୍ଗ ହାଉଆରେ,

ଭଦ୍ରତାକୁ ଗିଳିଗଲା ତାହାର ବୀରତ୍ୱ ।

କିସ ବା କହିବି ସଖି ତାର ଅତ୍ୟାଚାର,

କହିଲେ ତା ପାପ, ପୁଣି ଶୁଣିଲେ ବି ପାପ ।

ନ ହେଲା କୁଣ୍ଠିତ ସେହୁ ନିଜ ଭାଇ ଦେହୁଁ

କରିବାକୁ ରକ୍ତପାତ, ଅହୋ କି ଦୁର୍ବୁଦ୍ଧି !

ହେଲେ ପଛେ ମାତୃଦ୍ରୋହୀ ହେଉ ସେ ବୀରେନ୍ଦ୍ର,

କିନ୍ତୁ ମୋର ମାତୃସ୍ନେହ ତା ପ୍ରତି କଦାପି

ହେବ ନାହିଁ ତିଳେ ଊଣା, କ୍ଷମିଛି ମୁଁ ତାକୁ,

ମାତାର ସମାନ ଦୟା ସୁପୁତ୍ରେ, କୁପୁତ୍ରେ ।

ଯେତେ ଘୃଣା କରୁ ପଛେ ମୋତେ ସେ ବୀରେନ୍ଦ୍ର

ମାଆ ବୋଲି ଡାକିବାକୁ, ପୁଣି ହେଉ ପଛେ

ଗୋତ୍ରଛିଣ୍ଡା ପିକ, ମାତ୍ର ସ୍ନେହରେ ତାହାକୁ

ସ୍ମରିବି ମୁଁ ପୁତ୍ର ବୋଲି ବଞ୍ଚିଥିବା ଯାଏଁ

ମାତାର ମାତୃତ୍ୱ କେବେ ଭଜେ ନାହିଁ ଲୟ ।

ବଙ୍ଗ ବି ସାଧିଲା ବାଦ କି କୁଗ୍ରହ ଫଳେ,

ଭଉଣୀ ହୋଇ ସେ ମୋର ହେଲା ସଉତୁଣୀ

ଦୂତ ପେଷି ମୋ ବିରୁଦ୍ଧେ ପ୍ରବଳେ ପ୍ରଚାରି

ଘଟାଇଲା ବିଘ୍ନ ମୋର ଅଙ୍ଗସଂଯୋଗରେ,

ନ କଲା ଉପ୍ରୋଧ ତିଳେ ଭଉଣୀ ବୋଲି ସେ

ମୁଖଲାଜେ ଚକ୍ଷୁଲାଜେ ଦେଇ ଜଳାଞ୍ଜଳି,

ମାୟା ମମତାର ମୁଣ୍ଡ ଶ୍ରାଦ୍ଧ କଲା ଭଗ୍ନୀ ।

ସୁଭାଷ ବି ପୁତ୍ର ମୋର ସ୍ତନ୍ୟଦାନେ ତାକୁ

ଥିଲି ମୁଁ ବଢ଼ାଇ, ସେହି ସ୍ନେହଋଣ ମୋର

ଶୁଝିଦେଲା ସେହୁ ଦେଇ ମନସ୍ତାପ ମୋତେ,

ଏ ଆଦର୍ଶ ଏକା ତାକୁ ଦିଶିଲା ସୁନ୍ଦର ।

କେତେ ଆଶା କରିଥିଲି ତାକୁ ମୁଁ ଅଭାଗୀ

ଫେଡ଼ିବ ବୋଲି ସେ ମୋର ଦୁର୍ଭାର କଷଣ,

କିନ୍ତୁ ହାୟ, କି କହିବି, କେଡ଼େ ଲଜ୍ଜାକଥା,

ଗର୍ଭକଷ୍ଟ ଏକା ସାର ହେଲା ମୋ କପାଳେ ।

ଚଢ଼ିଥିଲା ମୋ କଳ୍ପନା ତାଳଗଛ ଶିରେ,

ଖସିପଡ଼ି ଚୂର୍ଣ୍ଣୀଭୂତ ହେଲା କେଡ଼େ ବେଗେ ।

ଦେଖି ତାର ସତ୍‌ସାହସ, ପ୍ରଖର ପ୍ରତିଭା

ଆବର ଯୋଗ୍ୟତା, ଗର୍ବ କରୁଥିଲି ମନେ,

ସୁଭାଷ ସେ ଗର୍ବ ମୋର ଭାଙ୍ଗିଦେଲା ସଖି !

ବିଦେଶରୁ ପୁଅ ମୋର ଉଚ୍ଚଶିକ୍ଷା ପାଇ

ଆଣିଥିଲା ମୋ ଲାଗି ସେ ଏହି ଉପହାର ।

କିନ୍ତୁ ସେଥିପାଇଁ ମୋର ନାହିଁ କିଛି ଦୁଃଖ,

ଯାହା କରୁ ପଛେ, ସେ ତ ଯୋଗ୍ୟପୁଅ ମୋର

ବହୁଛି ମୋହରି ରକ୍ତ ଦେହରେ ତାହାର,

ପାରିବ ବୁଝି ସେ ଦିନେ ତାହାର ଏ ଭ୍ରମ,

ସେ ଦିନ କରିବ ନିଶ୍ଚେ ବହୁ ଅନୁତାପ ।

ପଶ୍ଚିମରେ ସେହିପରି ହିନ୍ଦୀଭାଷୀ ଜନେ

ଲଗାଇଲେ କେତେ ହଟ, ଶାଢ଼ୀ ବଦଳରେ

ପିନ୍ଧାଉଥିଲେ ସେ ମୋତେ ବୁଟିଆ ଘାଗରା

କେଡ଼େ ଦୁଃସାହସ, ଅହୋ, କି, ଦୁରଭିସନ୍ଧି !

ମୋତେ ଗ୍ରାସ କରିଥିଲେ ପୁରିଥାନ୍ତା ପରା

ସେଠଙ୍କର ମୋଟା ପେଟ ଉଗ୍ର ଦୁରାକାଙ୍‌କ୍ଷା ।

ଏ କାଳେ ମିଳିଲେ ଆସି ଜନୈକ ପୁରୁଷ

ବିଶାଳ ପୃଥୁଳ ବପୁ, ସୁନ୍ଦର, ସୁଶୀଳ,

ଜିଣେ ଇନ୍ଦ୍ରନୀଳ ପ୍ରଭା କଳେବର ଜ୍ୟୋତି,

ଗଭୀର ମଧୁର ମୂର୍ତ୍ତି ଇନ୍ଦ୍ରୀବରେ ଗଢ଼ା ।

କନ୍ଧେ ଶୁଭ୍ର ଉପବୀତ, ମସ୍ତକେ ମୁକୁଟ

ପାଷାଣେ ନିର୍ମିତ, କର୍ଣ୍ଣେ ପାଷାଣ କୁଣ୍ଡଳ

କେୟୂର ବଳୟ ଆଦି ସର୍ବ ଅଳଙ୍କାର

ଚାରୁକାରୁ ଛୁଞ୍ଚିକମ ପାଷାଣେ ଗଠିତ ।

ସେ ପୁରୁଷ ଭେଟିରୂପେ ଦେବୀଙ୍କ ଛାମୁରେ

ଥୋଇ ରକ୍ତ-ଆମଳକୀ, ସୁପକ୍ୱ ତମାଳ

ଶାଳପତ୍ର-ପୁଟେ, କଲେ ସାଷ୍ଟାଙ୍ଗ ପ୍ରଣାମ ।

ଆଶୀର୍ବାଦ କରି ଦେବୀ ଭାଷିଲେ କୋମଳେ-

‘‘ଉଠ ଉଠ ବତ୍ସ, ମୋର ଗିରି-ଚକ୍ରବର୍ତ୍ତୀ

ମହେନ୍ଦ୍ର, ମହେନ୍ଦ୍ର ସମ ଅତୁଳ ଧନିକ ।

ତୁହି ମୋର ଗୌରବର, ସ୍ୱର୍ଣ୍ଣ ମାନଦଣ୍ଡ

କହ ବତ୍ସ, କହ ତ୍ୱରା କିପାଁ ଆଗମନ ?’’

ଉଠିଣ ପୁରୁଷ ତହୁଁ, ଯୋଡ଼ି ବେନି କର

କହିଲେ ବିନୟେ-‘‘ଦେବୀ, ଆସିଲି ମୁଁ ଆଜି

ତୁମ୍ଭ ପୂର୍ଣ୍ଣ ମାତୃମୂର୍ତ୍ତି ଦର୍ଶନ ମାନସେ ।

ମହାନନ୍ଦ ଦିନ ଆଜି, ମହା ଶୁଭଦିନ,

ହେରି ମାତୃପାଦ ହେଲି କୃତାର୍ଥ, ପାବନ ।

ଆନନ୍ଦ ପ୍ରକାଶ ପାଇଁ ମିଳନ ଉତ୍ସବେ

ତବ, ବସିଥିଲା ଗିରିସଭା ମୋ ଶିଖରେ

ଆଜି, ଗଞ୍ଜାମର ସର୍ବ ଗିରିଗୋଷ୍ଠୀ ତହିଁ

ହୋଇଥିଲେ ସମବେତ, ପରମ ଆଗ୍ରହେ ।

ଆସିଥିଲା ପାରଳାରୁ ତୁଙ୍ଗ ଦେବଗିରି

ଦେବତା-ନିବାସ, ଯହୁଁ ଦେବବାଳାକୁଳ

ଖେଳନ୍ତି କୌତୁକେ ନାଚି ଚାନ୍ଦିନୀ ରାତିରେ-

ତରୁରାଜ ପ୍ରିୟଜେମା ଫୁଲ ସହିତରେ ।

ଟିକିଲିରୁ ଆସିଥିଲା ‘‘ନୀଳାମ୍ମା’’ ପର୍ବତ,

ବିରାଜନ୍ତି ମୂଳେ ଯାର ନୀଳ ସରସ୍ୱତୀ

ଚାରୁ ଲତାକୁଞ୍ଜ ମଧ୍ୟେ, ତପସ୍ୱିନୀ ପ୍ରାୟ,

ଅଦୂରେ ସାଗରଶୋଭା ଶତଦଳ ବନ

ସେବେ ତାଙ୍କୁ ଭକ୍ତରୂପେ ସୁରଭି ସମ୍ଭାରେ ।

ବାଣ ବିନ୍ଧି ଗର୍ଭ ଯାର ଦେଇଛି ଫୁଟାଇ

ଭୀମକର୍ମୀ ଭୀମସେନ-ପବନନନ୍ଦନ,

ଅଦ୍ୟାପି ସେ ଚିହ୍ନ ତାର ରହିଛି ଅକ୍ଷତ,

ଆସିଥିଲା ସେ ଭୀଷଣ କାଣ୍ଡଗଳା ଗିରି ।

କବିତୀର୍ଥ ଧରାକୋଟୁ ‘‘ଶୁଳିଆ’’ ଶିଖରୀ

ଆସିଥିଲା ଗହଣରେ ଦଳବଳ ଘେନି,

ରଚନ୍ତି ପାରିଧି ଯହିଁ ଧରାକୋଟ ନାହା,

ବ୍ୟାଘ୍ରବଧୂ ବାଘୁଣୀକୁ ଶୋକରେ କନ୍ଦାଇ ।

ଆସିଲା ଖେମଣ୍ଡୀ ମାଳୁ ଗିରି ‘‘ସିଂହରାଜ’’,

ଅନୁଜ ସେ ମୋର, ତାର ସର୍ବୋଚ୍ଚ ଶିଖର

ଦିଶେ ଦୃପ୍ତ ସିଂହ ପ୍ରାୟ, ବିକଟ-କରାଳ ।

କୌସ୍ତୁଭ ପଦକ ସମ ଶୋଭେ ବକ୍ଷେ ତାର

‘‘ତପ୍ତ ପାଣିଝର’’ କୁଣ୍ଡ-ତପ୍ତ ଜଳେ ପୂର୍ଣ୍ଣ,

ଶିଖରି-ସମ୍ରାଟ ସେହୁ ମାଳ ପ୍ରଦେଶରେ ।

ଆସିଲା କେରାଣ୍ଡିମାଳ ଖେମଣ୍ଡୀ ରାଜ୍ୟରୁ,

ଯା ଚୂଡ଼େ ବିଶ୍ରାମି ରବି ହୁଏ ଅସ୍ତଗତ ।

ଅତିବୃଦ୍ଧ ଗିରି-ଯୋଗୀ, ଘେରିଥାନ୍ତି ତାକୁ

ବହୁ କ୍ଷୁଦ୍ର ଗିରି, ଶିଷ୍ୟେ ଗୁରୁଙ୍କୁ ଯେସନ ।

ପୁଣ୍ୟ ସାରସ୍ୱତ ତୀର୍ଥ ଘୁମୁଷର ରାଜ୍ୟୁ

ଆସିଥିଲା ‘‘ଦୁଧସର’’, ପ୍ରକୃତି-ରାଣୀର

ପାଟହାତୀ ସେହୁ, ବସି ଶିଖରେ ତାହାର

ସ୍ୱର ଟେକି ଭଞ୍ଜକାବ୍ୟ ଗାଆନ୍ତି ଗନ୍ଧର୍ବେ ।

ଶୁଣି ସେ ଅମୃତ ଗୀତ ଭଞ୍ଜକବି-ସ୍ମୃତି

ଚେଇଁ ଉଠେ ତରୁଲତା ହୃଦେ, କାନ୍ଦନ୍ତି ସେ

ମହାଶୋକେ ନୀରବରେ ଶିଶିରାଶ୍ରୁ ତେଜି,

କାନ୍ଦନ୍ତି ଆବର ବନେ ପଶୁପକ୍ଷିକୁଳ ।

ଆସିଥିଲା ଖଲିକୋଟୁ ତୁଙ୍ଗ ‘‘କୁଣ୍ଡଗିରି’’

ମୃଦୃ କୁଳୁ କୁଳୁ ସ୍ୱରେ ଧୋଇ ତା ଚରଣ

ପବିତ୍ର ‘‘ନିର୍ମଳ ଝର’’ ବସନ୍ତ-ସମୟେ

ଭେଟେ ତାକୁ ନାଗେଶ୍ୱର ସୁବାସ ସମ୍ପଦ ।

ଆସିଥିଲା ସଙ୍ଗେ ତାର ଛତ୍ରଗଡ଼ ଗିରି

ନାମାନ୍ତର ‘‘ନାରାୟଣୀ’’ ପର୍ବତ ତାହାର,

ତୀବ୍ର ବିଷମୟ ସଦା ସେ ପର୍ବତ ବାୟୁ

ଅହିରାଜ ସର୍ପଶ୍ୱାସେ, ନିଶୀଥେ ଶିଖରେ

ଗର୍ଜେ ମହାବଳ ବ୍ୟାଘ୍ର, ସେ ଭୀମ କୁହାଟେ

କମ୍ପିଉଠେ ବନସ୍ଥଳୀ, କମ୍ପିଉଠେ ଗିରି,

ଝଡ଼ିପଡ଼େ ବୃକ୍ଷୁ ଫଳ, ବନବାସୀ ଜନେ

ଗଣନ୍ତି ପ୍ରମାଦ ଭୟେ ଭଗ୍ନନିଦ୍ର ହୋଇ

ଦାରୁଣ କରୁଣ ସ୍ମୃତି ବହିଛି ସେ ଗିରି,

ସେହିଠାରୁ ଜନନି ଗୋ ଶ୍ରୀଅଙ୍ଗ ତୁମ୍ଭର

ହୋଇଥିଲା ଛିନ୍ନଭିନ୍ନ, ସେ କାଳେ ମୁଁ ହାୟ,

କେତେ ଯେ କାନ୍ଦିଛି, ତାହା କହି ନୁହେଁ ଗିରେ ।

ସେହି ଅଶ୍ରୁଧାରା ମୋର ବହୁଛି ଅଦ୍ୟାପି

ନଦୀରୂପେ-‘‘ସ୍ୱର୍ଣ୍ଣମୁଦ୍ରା,’’ ‘‘ମହେନ୍ଦ୍ର-ତନୟା’’

ନାମେ, ନ ଶୁଖେ ସେ ଅଶ୍ରୁ ତପନ ତାପରେ;

ସେ କାଳୁ ହୋଇ ମୁଁ ନିଜ ମାତୃଅଙ୍କଚ୍ୟୁତ

ପଡ଼ି ରହିଥିଲି ଯାଇ ପର ପାଦତଳେ ।

ଥାଉ ସେ ପ୍ରସଙ୍ଗ, ଆଉ କି ଫଳ ତହିଁରେ

ସେ ଅତୀତ ଉଦ୍‌ବୋଧନେ ବାକ୍ୟବ୍ୟୟ ବୃଥା !

ଆସିଥିଲା ସେ ସଭାକୁ ‘‘ଘଣ୍ଟଶିଳା’’ ଗିରି

ଚିଲିକା ମଧ୍ୟରୁ, ରୁଦ୍ର ଚିଲିକା ତରଙ୍ଗ

ଚୌପାଶୁଁ ପ୍ରହାରି ତାକୁ ପ୍ରକାଶେ କ୍ଳୀବତା ।

ପକ୍ଷିରାଜ୍ୟ ସେ ପର୍ବତ, ନାନାଜାତି ପକ୍ଷୀ

କରିଛନ୍ତି ବାସ ତହିଁ ପୁରୁଷାନୁକ୍ରମେ

ନିର୍ଭୟେ ନିରୁପଦ୍ରବେ, ନିଶ୍ଚିନ୍ତ ମାନସେ ।

ଆସିଥିଲା ‘‘ତାଳଗୁଡ଼ି’’ ସୁରଙ୍ଗୀ ମଣ୍ଡଳୁ,-

ଅଭ୍ରଜ୍ୟୋତିଦୀପ୍ତ ଯଥା ତପଦୀପ୍ତ ତପୀ,

ଯା କନ୍ଦରେ ବସି କବି ଦୀନବନ୍ଧୁ ରାଜ

ରତ ଥିଲେ ନିକାଞ୍ଚନେ ବାଣୀ-ଆରାଧନେ,

ରଚୁଥିଲେ କାବ୍ୟକଳା ରାଜଭୋଗ ତେଜି,

ସେହି ସାରସ୍ୱତ ଦରୀ ହୋଇଛି ଏ କାଳେ

ବ୍ୟାଘ୍ର ଭଲ୍ଲୁକର ପ୍ରିୟ ଅଭିସାର ସ୍ଥଳୀ ।

ସାହିତ୍ୟ-ସାଧନା-ଧନ୍ୟ ଚିକିଟି ରାଜ୍ୟରୁ

ଆସିଥିଲା ‘‘କୃଷ୍ଣଗିରି’’, ରାତ୍ରେ ତାହା ଶିରେ

ପିନ୍ଧାଏ ସୁବର୍ଣ୍ଣଚୂଡ଼ା ଦାବାନଳ ଶିଖା,

ରାଜରାଜେଶ୍ୱର ମୂର୍ତ୍ତି ଧରେ ସେ ସେକାଳେ ।

ଆସିଥିଲେ ଇଚ୍ଛାପୁରୁ ଯାମଳ ସୋଦର

ପୀରଗିରି, ଛୁଞ୍ଚିଗିରି,-ସୁନ୍ଦର-ଦର୍ଶନ ।

ଏହିପରି କେତେ ଗିରି ହୋଇଥିଲେ ଠୁଳ

ସେ ମହାସଭାରେ, ନାହିଁ କଳନା ତାହାର,

ସଂକ୍ଷେପେ ଏତିକି ମାତ୍ର ନିବେଦିଲି ଦେବୀ ।

ଉତ୍କଳ ମିଳନ ବାର୍ତ୍ତା ହୁଅନ୍ତେ ପ୍ରଚାର

ପୃଥୁଳ ଆନନ୍ଦ ରବେ ପୂର୍ଣ୍ଣ ହେଲା ସଭା,

ବିଦେଶୁ ବାହୁଡ଼ି ଆସି ବହୁଦିନ ପରେ

ପୁତ୍ର, ମାତୃ ଅଙ୍କେ, ଲଭେ ମହୋଲ୍ଲାସ ଯଥା,

ତଥା ସର୍ବ ଗିରିକୁଳ ହେଲେ ଆହ୍ଲାଦିତ ।

କିସ ବା ବର୍ଣ୍ଣିବି ସେହି ଉଦ୍‌ବେଳ ଆନନ୍ଦ,

ପଶିଲେ ଜୀବନ ଫେରି ଆସି ମୃତପିଣ୍ଡେ

ପ୍ରତେ ହୁଏ ନ ହେବ କେ ସେଭଳି ଉତ୍‌ଫୁଲ୍ଲ ।

ଛାମୁରେ ଅର୍ପିବା ପାଇଁ ପ୍ରୀତ୍ୟଭିନନ୍ଦନ

ପେଷିଲା ସେ ସଭା ମୋତେ ସର୍ବ ସମ୍ମତିରେ,

ଆସିଛି ମୁଁ ତେଣୁ ଧରି ସେ ଅଭିନନ୍ଦନ ।’’

ଅନନ୍ତର ଗିରିବର ବସ୍ତ୍ର ଅନ୍ତରାଳୁ

କାଢ଼ିଣ ପେଟିକା-କେନ୍ଦୁ ପଲ୍ଲବେ ରଚିତ

ପୁଷ୍ପେ କାରୁକୃତ, ନେଇ ଅର୍ପିଲା ଛାମୁରେ ।

କୁସୁମ-କୋମଳ କରେ ଫେଡ଼ି ତାହା ଦେବୀ

ପଢ଼ିଣ ଅଭିନନ୍ଦନ, ଲଭିଲେ ସନ୍ତୋଷ ।

ସମ୍ବୋଧି ମହେନ୍ଦ୍ରେ ତହୁଁ ଭାଷିଲେ ସସ୍ମିତେ-

‘‘ବତ୍ସ, କହ ଯାଇ ତୋର ଗିରିପ୍ରଜାକୁଳେ-

ଲଭିଲି ପରମ ପ୍ରୀତି ଭକ୍ତିରେ ତାଙ୍କର,

କରୁଛି ମୁଁ ଆଶୀର୍ବାଦ-ଥାଆନ୍ତୁ କୁଶଳେ ।

ତୋତେ ସୁଦ୍ଧା ଅର୍ପୁଅଛି ଅଶେଷ କଲ୍ୟାଣ,

ତୁହି ବହୁପୋଷୀ, ନ୍ୟସ୍ତ ତୋହୋ ଶିରେ ବତ୍ସ,

ଗୁରୁତର କର୍ତ୍ତବ୍ୟର ଦୁର୍ବିଷହ ଭାର,

ଯୋଗ୍ୟପାତ୍ର ତହିଁକି ତୁ ଅଟୁ ଗିରିମଣି,

ସତ୍ୟେ, ଧର୍ମେ, ନ୍ୟାୟେ ପୁଣି ପାଳୁଛି ପ୍ରକୃତି,

ହେଉରେ ସାର୍ଥକ ତୋର ପୁଣ୍ୟ ସେବାବ୍ରତ ।’’

ତଥାସ୍ତୁ ଉଚ୍ଚାରି ହର୍ଷେ ଗିରି-ଅଧିରାଜ,

ନମି ଦେବୀ-ପାଦେ, କଲା ସ୍ୱସ୍ଥାନେ ପ୍ରସ୍ଥାନ

‘‘ଜୟ ମା ଉତ୍କଳ-ଦେବୀ’’ ଘୋଷି ଉଚ୍ଚସ୍ୱରେ ।

ଅନନ୍ତର ନାରୀଦଳ ଆସିଲେ ସେଠାବେ

ସୁନ୍ଦରୀ ଶୋଭାଙ୍ଗୀ ସର୍ବେ ଶୁଭ୍ର ବସ୍ତ୍ରାବୃତା,

ଦିଶନ୍ତି ଭୂଷଣେ ବେଶେ ରାଜକନ୍ୟା ପ୍ରାୟ,

ଅଙ୍ଗନାଙ୍କ କଞ୍ଜନେତ୍ର ଦୟାରେ ସଜଳ ।

ସର୍ବେ ମୁକ୍ତକେଶୀ, କେଶ ପ୍ରଳମ୍ବ କୁଞ୍ଚିତ

ଯଥା କ୍ଷୁଦ୍ର ବୀଚିମାଳା ଖେଳୁଛି ଦୋହଲି ।

ଆଗୁସରି ଦଳୁ ଜଣେ ପ୍ରବୀଣା ମହିଳା

ପ୍ରୌଢ଼ା ତପସ୍ୱିନୀ ପ୍ରାୟ କଲା ବନ୍ଦାପନା

ଦେବୀଙ୍କ ଚରଣେ, ଧରି ଅର୍ଘ୍ୟଥାଳୀ କରେ,

ହୁଳାହୁଳି ଦେଲେ ମିଳି ଅପର ନାରୀଏ ।

କେହି ଧରି ମୁକ୍ତାମାଳା, ପୁଷ୍ପମାଳା କେହି,

କେହି ବା କର୍ପୂରମାଳା ଦେଇଣ ପିନ୍ଧାଇ

ଦେବୀ-କଣ୍ଠେ ଭକ୍ତିଭରେ ନମିଲେ ସକଳେ ।

କହିଲା ସସ୍ମିତେ ପ୍ରୌଢ଼ା ଦେବୀ ମୁଖେ ଚାହିଁ-

‘‘ଚିହ୍ନିଲ କି ମହାଦେବୀ, ଏ ଦୁଃଖିନୀଗଣେ,

ସେବା-ଦାସୀ ଆମ୍ଭେମାନେ ସର୍ବଦା ତୁମ୍ଭର,

ମୁହିଁ ‘‘ଋଷିକୁଲ୍ୟା’’, ଏହି ତିନି ସଖୀ ମୋର

‘ବାହୁଦା’ ‘ସୁବର୍ଣ୍ଣମୁଦ୍ରା’ ‘ମହେନ୍ଦ୍ର-ତନୟା’ ।

ମାହେନ୍ଦ୍ରଯୋଗରେ ଆଜି ପାହିଥିଲା ରାତି,

ଘଟିଲା ଭାଗ୍ୟରେ ତେଣୁ ଚରଣ ଦର୍ଶନ,

ଯୁଗେ ଯୁଗେ ଦେବୀ, ମୁହିଁ ତୁମ୍ଭର ଅଧୀନା

କିନ୍ତୁ ହାୟ, କିଏ ଜାଣେ କେଉଁ କୁଗ୍ରହର

ଅଭିଶାପେ, ହୋଇଥିଲି ପରପଦାଶ୍ରୟୀ,

କି ଅଜ୍ଞାତ ପାପେ ମୋର ଏ ପୋଡ଼ା ଭାଗ୍ୟରେ

ବିହିଲା ଏ ଦଣ୍ଡ ବିହି, ଜାଣେ ସେହି ତାହା ।’’

କହୁଁ କହୁଁ ସେ ପ୍ରବୀଣା କଇଁ କଇଁ ହୋଇ

ପକାଇଲା କାନ୍ଦି, ଗଲା ଖନି ବାଜି ପାଟି,

ବହିଗଲା ଅଶ୍ରୁଧାରା ବେନି ଗଣ୍ଡ ଧୋଇ,

ଶଶବ୍ୟସ୍ତ ହୋଇ ତହୁଁ ଉତ୍କଳ-ଜନନୀ,

ପୋଛିଦେଇ ଅଶ୍ରୁ ତାର ପଣତ କାନିରେ

ଭାଷିଲେ ସଧୀରେ ଏହି ପ୍ରବୋଧ ବଚନ-

‘‘କାନ୍ଦନା ଲୋ ମାଆ ମୋର କାନ୍ଦ ନା କାନ୍ଦ ନା,

ଫେଡ଼ିଲେଣି ତୋ କଷଣ ନୀଳାଚଳନାଥ,

ଗଲାଣି ତ ଗଲା କଥା, ତାହା ଲାଗି ଆଉ

ଶୋଚନା କିପାଇଁ ତୋର, ଛାଡ଼ ମନୁ ଖେଦ,

ଗାଇଛନ୍ତି କବି ତୋର କ୍ଷୀରପାନେ ପୁଷ୍ଟ

‘‘ଗଲାଣି ତ ଗଲା କଥା-’’ ଚମ୍ପୂ ମହାକାବ୍ୟେ ।

ହୋଇଥିଲୁ ଅନ୍ତର ତୁ ମୋଠାରୁ ଲୋ ଝିଅ,

କିନ୍ତୁ ମନରୁ ତ ମୋର ନ ଥିଲୁ ଅନ୍ତର,

ତୋର ପ୍ରିୟତମ ପୁତ୍ର ଭଞ୍ଜକବି ପରା

ଯାଇଛି ଲୋ ଗୀତ ଗାଇ ଅମୃତ ଝଙ୍କାରେ-

‘ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର’

ମହାସତ୍ୟେ ଜ୍ୟୋତିର୍ମୟ ସେହି ମହାବାଣୀ ।

‘‘ଉତ୍କଳରେ ଋଷିକୁଲ୍ୟା’’ ବୋଲି ଚିରକାଳ

ଗାଉଛି ପୁରାଣ, ଗ୍ରନ୍ଥ, ଦୃଢ଼େ, ଉଚ୍ଚକଣ୍ଠେ,

ସେ ସମ୍ପର୍କ ତୋର ମୋର କେ ଦେବ ଛିଣ୍ଡାଇ,

ଅଚ୍ଛେଦ୍ୟ ସେ, ରହିଥିବ ସୃଷ୍ଟି ଥିବାଯାଏଁ ।

ଯେତେ କାଳ ଥିବି ମୁହିଁ, ତେତେ କାଳଯାଏଁ

ପାଉଥିବୁ ପୂଜା ତୁହି ପୁଣ୍ୟତୀର୍ଥରୂପେ ।’’

ଶୁଣି ଏ ପ୍ରବୋଧବାଣୀ ଋଷିମାଳ-ସୂତା

କହିଲା ମଧୁରେ ହସି, [ କି ସୁନ୍ଦର ଆହା

ଅଶ୍ରୁମୁଖେ ହାସ୍ୟ, ଯଥା ବୃଷ୍ଟି ପରେ ଜ୍ୟେତ୍ସ୍ନା,

ହିମସିକ୍ତ ପଦ୍ମପତ୍ରେ ଶୋଭେ କି କମଳ ]

‘‘ନୁହେଁ ମୋର ଏ କାନ୍ଦଣା ଦୁଃଖର କାନ୍ଦଣା,

ସୁଖର କାନ୍ଦଣା ଏହା, ଅତି ଦୁଃଖେ ଯଥା

ବହେ ନେତ୍ରୁ ଅଶ୍ରୁଧାରା, ତଥା ଅତି ସୁଖେ

ବହିଯାଏ ଅଜ୍ଞାତରେ ଅସମ୍ଭାଳ ଅଶ୍ରୁ,

ସେ ଆନନ୍ଦ ଅଶ୍ରୁପାତ ଘଟେ ଅତିଭାଗ୍ୟେ ।

ସୁଦୀର୍ଘ ବିଚ୍ଛେଦ ପରେ ଘଟିଲେ ମିଳନ

ପୂରିଉଠେ ମନେ ଯେଉଁ ଅପୂର୍ବ ଉଲ୍ଲାସ,

ନ ହେବ ବର୍ଣ୍ଣିତ ତାହା କୋଟି କବି-ମୁଖେ ।

ସେ ହର୍ଷର ମହାବନ୍ୟା ହୃଦୟ ବୁଡ଼ାଇ

ଅଶ୍ରୁ ରୂପେ ନେତ୍ରପଥେ ପଡ଼ଇ ବାହାରି,

କେ ରୋଧିବ ଗତି ତାର-ଅବାରିତ ତାହା,

ଭୁଞ୍ଜୁଛି ମୁଁ ଯେ ଆନନ୍ଦ ତ୍ରିଦିବ-ଦୁର୍ଲ୍ଲଭ,

ହେଉ ନାହିଁ ଅବସନ୍ନ ସେ ଆନନ୍ଦ ଲବେ,

ବରଞ୍ଚ ବଢ଼ୁଛି ତାହା ଆଶା-ବନ୍ୟା ପରି ।’’

ଭାଷିଲେ ଉତ୍କଳ ଦେବୀ-‘‘ବତ୍ସ ଋଷିକୁଲ୍ୟେ,

ନେଇଛୁ ତ ଭକ୍ତି-ବିତ୍ତେ କିଣି ମୋତେ ତୁହି,

କି କହିବି ଅଧିକ ବା ଏଥୁ ବଳି ଆଉ,

ତୋର, ପୁଣି ତୋର ଏହି ତିନି ସଖୀଙ୍କର

ଭକ୍ତିପୂର୍ଣ୍ଣ ସମ୍ଭର୍ଦ୍ଧନା କଲି ମୁଁ ଗ୍ରହଣ

ପରମ ଆନନ୍ଦ ମନେ, ଅପାର ଆଗ୍ରହେ ।

ତୁମ୍ଭ ଭଳି କନ୍ୟାରତ୍ନ ଧରି ମୁଁ ଗର୍ଭରେ

ମଣୁଛି ନିଜକୁ ଧନ୍ୟା, ମହାଭାଗ୍ୟବତୀ,

ବିଧାତାର ଦାନ ସିନା ତୁମ୍ଭେ ମୋ ଭାଗ୍ୟରେ ।

ତୁମ୍ଭ ପୋଷ୍ୟ ପ୍ରଜାକୁଳ ନ ଦେଖି ତୁମ୍ଭଙ୍କୁ

ହେଉଥିବେ ଅତିବ୍ୟସ୍ତ, ଚିନ୍ତିତ, ଆତୁର,

ଯାଅ ଏବେ ସର୍ବେ, ତାଙ୍କୁ ପାଳ ପୂର୍ବ ପରି ।’’

‘‘ଯେ ଆଜ୍ଞା ଜନନି’’ କହି ଚାରି ତରଙ୍ଗିଣୀ

ପ୍ରଣମି ପୟରେ, ନେଲେ ଛାମୁରୁ ମେଲାଣି ।

ତାହା ପରେ ନାରୀ ଏକ ପ୍ରବେଶିଲା ଆସି,

ଶଙ୍ଖ ପରି ତନୁ ତାର ଶୁଭ୍ର ଜ୍ୟୋତିର୍ମୟ ।

ପିନ୍ଧିଛି ସେ ଆର୍ଦ୍ର ନୀଳଶାଢ଼ୀ, ଯାଇଛି ତା

ଶ୍ରୀ ଅଙ୍ଗରେ ଜଡ଼ି, ସତେ ଯେହ୍ନେ ସଦ୍ୟ ସ୍ନାନୁ

ଆସିଛି ସେ ଉଠି, ଆର୍ଦ୍ର ବସ୍ତ୍ର ନ ପାଲଟି ।

ମସ୍ତକରେ ଶୋଭେ ଚାରୁ ଶଙ୍ଖର ମୁକୁଟ,

ଶଙ୍ଖର କୁଣ୍ଡଳ କର୍ଣ୍ଣେ, ହସ୍ତେ ଶଙ୍ଖର ବଳୟ,

କଟିତଟେ ସପ୍ତସରୀ ଶଙ୍ଖ ଚନ୍ଦ୍ରହାର

ସବୁ ଅଳଙ୍କାର ତାର ଶଙ୍ଖରେ ନିର୍ମିତ ।

ଦେବୀଙ୍କ ଛାମୁରେ ସେହୁ ଭେଟି ଶଙ୍ଖଟିଏ-

ନାନାରତ୍ନ-ବିଖଚିତ, ଅପୂର୍ବ ସୁନ୍ଦର,

ବିହିଲା ପ୍ରଣାମ, ଉଠି ଉଭାହୋଇ ପରେ

ନିବେଦିଲା କର ଯୋଡ଼ି ବିନୟେ ଏସନ-

‘‘ଚିଲିକା ମୁଁ ଦେବୀ, ସିନ୍ଧୁରାଜ-ପ୍ରିୟଜେମା;

ଏ ଶଙ୍ଖ ତୁମ୍ଭର ଦେବୀ, ପଡ଼ୁଛି କି ମନେ-

ଛିନ୍ନ ହେଲା ଯେଉଁ ଦିନ ଶ୍ରୀଅଙ୍ଗ ତୁମ୍ଭର,

ହେଲ ତୁମ୍ଭେ ଅସାଷ୍ଟମ, ଏ ଶଙ୍ଖଟି ତହୁଁ

ପଡ଼ିଲା ଶ୍ରୀହସ୍ତୁ ଖସି, ନେଇ ମୁଁ ତାହାକୁ

ରଖିଥିଲି ଗନ୍ତାଘରେ ସାଇତି ଯତନେ,

ଉଇଁଲା ସୌଭାଗ୍ୟ ଏବେ ତାର, ବହିବ ସେ

ପୂର୍ବ ପରି ଶୋଭା ତୁମ୍ଭ ଶ୍ରୀକର-କମଳେ ।

ଜାଣିଛ ତ ଦେବୀ ତୁମ୍ଭେ ମୋହର କଷଣ,

ଏଣେ ଖଣ୍ଡେ, ତେଣେ ଖଣ୍ଡେ ଦୁଇ ଆଡ଼େ ରହି

ହେଉଥିଲି ଛଟପଟ, ମଣୁଥିଲି ତୁଚ୍ଛ

ପ୍ରାଣେ, ଡାକୁଥିଲି ସଦା ମୃତ୍ୟୁକୁ ଆତୁରେ,

ହରିଲେ ସେ ଦୁଃଖ ମୋର ଏତେ କାଳ ପରେ

ବିଶ୍ୱଦୁଃଖହାରୀ ସେହି ପ୍ରଭୃ ଦୟାମୟ ।

ଏହି ଶୁଭ ଅବସରେ, ଆନନ୍ଦ ଅନ୍ତରେ

ଆସିଲି ସଙ୍ଖୋଳିବାକୁ ତୁମ୍ଭଙ୍କୁ ଜନନି !’’

ଶୁଣିଣ ଚିଲିକା ବାଣୀ ଉତ୍କଳ-ଜନନୀ

ହସି ହସି ନେଇ ତାକୁ ବସାଇଲେ କୋଳେ,

ବୁଲାଇ ମଙ୍ଗଳ ହସ୍ତ ଆଦରେ ସ୍ନେହରେ

ଶିରେ ତାର, ମୃଦୁ ସ୍ୱରେ କହିଲେ ଏସନ-

‘‘ଚିଲିକେ, ତୁ ଦେଲୁ ମୋତେ ଆତ୍ମପରିଚୟ

କୁଳ-ଗୋତ୍ର-ନାମ ସହ, କି ବାୟାଣୀ ତୁ ଲୋ,

ଗର୍ଜି ଗର୍ଜି ଦିନରାତି ମସ୍ତିଷ୍କ ତୋହୋର

ଗଲାଣି ବିକୃତ ହୋଇ, ନତୁବା କାହିଁକି

କରନ୍ତୁ ଲୋ ବିପରୀତ ଅଦ୍ଭୁତ କଳ୍ପନା,

ନ ପାରିବି ଚିହ୍ନି ବୋଲି ଭାବିଥିଲୁ ପରା,

ମାତା କି ସୂତାକୁ ପୁଣି ନ ପାରିବ ଚିହ୍ନି,

ଅତୀବ ଆଶ୍ଚର୍ଯ୍ୟ ଏହା ଅତି ଅସମ୍ଭବ,

ଜ୍ୟୋତ୍ସ୍ନା କି ଚିହ୍ନିବ ନାହିଁ ପ୍ରଭାକୁ ନିଜର ।

ଦୂରୁ ଦେଖି ଚାନ୍ଦମୁହିଁ, ଚାନ୍ଦମୁହଁ ତୋର

ଉଛୁଳି ଉଠିଲା ମୋର ମାତୃସ୍ନେହ ହୃଦେ,

ତେତେବେଳୁ ସୁନ୍ଦରି ଲୋ ଚିହ୍ନିଛି ମୁଁ ତୋତେ ।

ଲକ୍ଷ୍ମୀ ପରି କନ୍ୟାରତ୍ନ ତୁହି ଲୋ ମୋହୋର

ବସିଅଛୁ ମେଲି ମହା ଦାନର ପସରା,

ପୋଷିଅଛୁ ବହୁ ଜୀବେ ଦାନାପାଣି ଦେଇ,

ଗୁଣବତି, ବିମୁଗ୍‌ଧ ମୁଁ ଶୁଭ ଗୁଣେ ତୋର,

କିସ ବା କହିବି ବେଶୀ, କହୁଛି ଏତିକି-

ତୁହି ମୋର ରାଜରାଣୀ ଗୌରବର ଟୀକା,

ତୋହୋ ଲାଗି ମୁହିଁ ଧନ୍ୟା, ଅତୁଳ-ବିଭବା ।

ନ କରିଛୁ ତୁହି ମୋରକେଉଁ ଉପକାର,

ଆସୁଥିଲା ମୁଖ ମେଲି ଗ୍ରାସିବାକୁ ମୋତେ

ଦୈତ୍ୟବୀର ରକ୍ତବାହୁ-ଦୁରନ୍ତ ମତ୍ସରୀ,

ଧରି ତୁହି ରୁଦ୍ର ମୂର୍ତ୍ତି ମାରିଲୁ ତାହାକୁ

ବୁଡ଼ାଇ ସଦଳେ-ତୋର ଅତଳ ଗରଭେ,

ଲଭିଲା ସେ ପ୍ରତିଫଳ ଉତ୍କଟ ପାପର ।

ମୋତେ ଗ୍ରାସିବାକୁ ଆସି ପାପିଷ୍ଠ ଦୁର୍ମତି

ଅକାଳରେ କାଳଗ୍ରାସେ ପଡ଼ିଲା ସେ ନିଜେ,

ପାଞ୍ଚିଲେ ପରର ମନ୍ଦ ବିଧି ହୁଏ ବାମ ।

ନିପାତି ମୋ ଶତ୍ରୁ, ମୋତେ ତାରିଛୁ ସଙ୍କଟୁ,

ନ ଭୁଲିବି ମା ଲୋ ତାହା ମଲେ ସୁଦ୍ଧା ମୁହିଁ ।

ଆଜାହ୍ନବୀ-ଗୋଦାବରୀ ଉଠୁଥିଲା କମ୍ପି

ଯେଉଁ ମହାଶଙ୍ଖ ସ୍ୱନେ, ଆଣି ଦେଲୁ ତୁହି

ସେହି ପ୍ରିୟ ଶଙ୍ଖେ ମୋର, ତୋଷିବି କି ଦେଇ

ତୋତେ, ପାଉ ନାହିଁ ଖୋଜି, କଲି ଆତ୍ମଦାନ ।’’

କହିଲା ଚିଲିକା ‘‘ମାତଃ, କନ୍ୟା ମୁଁ ତୁମ୍ଭର,

କନ୍ୟାର କର୍ତ୍ତବ୍ୟ ମୁହିଁ କରିଛି ପାଳନ,

ସେଥିପାଇଁ ପୁରସ୍କାର ନୁହେଁ ମୋର ପ୍ରାପ୍ୟ,

ହୋଇଥିବି କର୍ତ୍ତବ୍ୟରେ କୃତକାର୍ଯ୍ୟ ଯେବେ,

ସେହି ମୋର ପୁରସ୍କାର, ନ ଖୋଜେଁ ଅଧିକ,

ହୁଏଁ ତୁମ୍ଭ ଯୋଗ୍ୟ କନ୍ୟା-କର ଆଶୀର୍ବାଦ ।

ମାଗୁଛି ମେଲାଣି ମାତଃ, ଯିବି ଏବେ ମୁହିଁ,

ଅଛନ୍ତି ମୋ ଘରେ ବହୁ ଦୁଷ୍ଟ ଜଳଚର,

ଲାଗିବେ ସେମାନେ କଳି ନ ଦେଖିଲେ ମୋତେ ।

କହିଲେ ଉତ୍କଳ ମହୀ-‘‘ଯା ଲୋ ଝିଅ ତେବେ

ଦୁଷ୍ଟେ ଶାସି ଶିଷ୍ଟେ ସଦା କରିବୁ ସୁରକ୍ଷା,

କରୁଛି ମୁଁ ଆଶୀର୍ବାଦ ହୁଅ ଚିରସୁଖୀ,

ଜନ୍ମେ ଜନ୍ମେ ମିଳୁ ମୋତେ ତୋ ପରି ସୁକନ୍ୟା ।’’

ଜୁହାରି ଚିଲିକା ତହୁଁ ଦେବୀ ପାଦତଳେ

ଆନନ୍ଦ ମନରେ କଲା ସ୍ୱସ୍ଥାନେ ପ୍ରସ୍ଥାନ ।

ଏ ଅନ୍ତେ ଆସିଲା ଏକ ଅପୂର୍ବ ରୂପସୀ

ସବଳ ଲତିକା ପ୍ରାୟ, ହୋଇଛି ନିର୍ମିତ-

ବସନ ଭୂଷଣ ତାର ଲତା-ପଲ୍ଲବରେ,

ତଥାପି ଶରୀରୁ ତାର ପଡ଼ୁଅଛି ଝଡ଼ି

ସୌନ୍ଦର୍ଯ୍ୟର ଜ୍ୟୋତିରାଶି, ଅପ୍‌ସରୀଏ ତାର

ନ ହେବେ ପୟରଘଷା ପଥରକୁ ସରି ।

ଲଳନା-ଲଲାମଭୂଷା ସେହି ନବାଗତା,

କିଆ ଫୁଲଟିଏ ଦେଇ ଦେବୀଙ୍କ ଶ୍ରୀହସ୍ତେ

ପ୍ରଣମିଲା ନତଶିରେ, ଉଠି ତାହା ପରେ

ଥୋଇ ଦେବୀ ସମ୍ମୁଖରେ ରସାଳ, ପନସ,

ଆତୁ, କେନ୍ଦୁ, ବରକୋଳି, ଲଙ୍କାଆମ୍ର ଆଦି

ଅସମୟେ ଜାତ ପକ୍ୱଫଳ, ନାରୀକେଳ,

ବାସନା କଦଳୀ, ହେଲା କର ଯୋଡ଼ି ଉଭା ।

ଭାଷିଲେ ଉତ୍କଳମାତା ସ୍ନେହବୋଳା ଗିରେ-

‘‘ଏ କିଏ ରେ ବେଳାରାଣୀ ଉଦ୍ୟାନ-ସୁନ୍ଦରୀ,

(ଉତ୍କଳର କାମଧେନୁ, ନନ୍ଦନ-କାନନ )

ଭାରୀ ତ ଆନନ୍ଦ ଆଜି !’’ କହିଲା ଉଦ୍ୟାନ-

‘‘ଘଟିଲେ ଆନନ୍ଦ ଯୋଗ କେ ନୁହେଁ ଆନନ୍ଦ ?

ହୋଇ ଓଡ଼ିଆଣୀ ମୁହିଁ, ଭାଗ୍ୟଦୋଷେ ହାୟ

ହୋଇଥିଲି ତେଲଙ୍ଗାଣୀ ଖୋଷି ବାଙ୍କ ଖୋଷା,

ସେ ଲଜ୍ଜା, ସେ ଅପମାନ ମରଣୁ ଅଧିକ,

କିନ୍ତୁ ଆଜି କଟିଗଲା ସେ କୁଗ୍ରହ ଦଶା,

ମିଶିଲି ମୁଁ ଜନନି ଗୋ, ସ୍ୱଜାତିରେ ଆସି,

ଅଛି କି ଆନନ୍ଦ ଆଉ ଏହାଠାରୁ ବଳି,

ମଣୁଛି ମୁଁ ପୁନର୍ଜନ୍ମ ଲଭିଲା ପରାୟେ ।

ହେରି ତୁମ୍ଭ ପୂର୍ଣ୍ଣମୂର୍ତ୍ତି, ହେଲି ମୁଁ କୃତାର୍ଥ,

ବଳେ ବଳେ ଆସି ମୋତେ ଧରୁଛି ଆନନ୍ଦ

କୁଣ୍ଢାଇ ପ୍ରବଳେ, ଦେବୀ, ତାହାରି ପ୍ରସାଦେ

ଦିଶୁଛି ଆନନ୍ଦମୟ ସାରା ସୃଷ୍ଟି ମୋତେ ।

ଦେଶାନ୍ତର-ଦଣ୍ଡପ୍ରାପ୍ତ ହୋଇଥିଲି ମୁହିଁ

ଫେରିଆସି ଦୈବେ ତହୁଁ, ବସିଅଛି ଏବେ

ମାତୃକୋଳେ, ଅସମ୍ଭବ ହୋଇଛି ସମ୍ଭବ,

ଏହି ସିନା ଆନନ୍ଦର ଉପଯୁକ୍ତ ବେଳ,

ଆଜି ଦିନ-ଅଦ୍ୱିତୀୟ ଦିନ ମୋ ଜୀବନେ ।

ତୁମ୍ଭ ଭାଗ୍ୟ ସଙ୍ଗେ ଗୁନ୍ଥା ସଦା ମୋର ଭାଗ୍ୟ,

ଯେ ଦଶା ତୁମ୍ଭର ଯେବେ ମୋର ସେହି ଦଶା ।

ମାତଃ ଏବେ ତୁମ୍ଭ ଭାଗ୍ୟ ହେଲା ଜ୍ୟୋତିର୍ମୟ,

ତୁମ୍ଭେ ମୋର ଆଦିମାତା-ଦେବୀମାତା ମୋର,

ସେହି ମାତୃଗୌରବରେ ଗର୍ବିତା ମୁଁ ଆଜି ।

ମାତୃପାଦ ପୁଣ୍ୟତୀର୍ଥ, ସେ ତୀର୍ଥ ଦର୍ଶନେ

ଜାତ ହେଲା ହୃଦେ ମୋର ଉଚ୍ଚାଟ ଉତ୍କଣ୍ଠା,

ନ ରୁଚିଲା ଅନ୍ନ ଜଳ, ନିଦ୍ରା ହେଲା ବିଷ,

ମୁହୂର୍ତ୍ତକ ପ୍ରତେ ହେଲା କୋଟିପୁରା ପ୍ରାୟ,

ଆସିଲି ମୁଁ ଧାଇଁ ତେଣୁ ଅସମ୍ଭାଳ ହୋଇ ।’’

କହିଲେ ଉତ୍କଳମାତା-‘‘ଜାଣେ ମୁଁ ଝିଅ ଲୋ !

ମନ ତୋର, ମୁଗ୍‌ଧ ମୁହିଁ ତୋସେବା ଭକ୍ତିରେ ।

ଧରିଛୁ ତୁ ସ୍ୱାର୍ଥଶୂନ୍ୟ ବିଶ୍ୱସେବାବ୍ରତ,

ତୋହୋରି ଜ୍ୟୋତିରେ ତୁହି ହୋଇ ସମୁଜ୍ଜ୍ୱଳ

ବୋଳିଛୁ ସେ ଜ୍ୟୋତି ପୁଣି ମୋ ମୁଖେ ବହଳେ,

ପ୍ରଚାରିଣ ଦେଶେ ଦେଶେ ମୋହର ମାହାତ୍ମ୍ୟ ।

ବହୁ ପୁଣ୍ୟ ଫଳେ ମିଳେ ତୋହୋ ପରି ଝିଅ,

ରତ୍ନ-ପ୍ରସବିନୀ ତୁହି, ତୋର ମାଆ ବୋଲି

ନିଜକୁ ସୌଭାଗ୍ୟବତୀ ମଣେ ମୁଁ ସଦର୍ପେ ।

ଚିରପୂର୍ଣ୍ଣ, ଅସରନ୍ତି ଭଣ୍ଡାର ଲୋ ତୋର,

ବହୁଗୁଣ ବଢ଼ିଉଠେ ଗୁଣେ ଦେଲେ ତହୁଁ,

ଆଶ୍ରିତ, ଅତିଥି, ପୋଷ୍ୟ ସମସ୍ତଙ୍କ ପ୍ରତି

ସମାନ ତୋହର ଦୟା, ଅନ୍ନପୂର୍ଣ୍ଣାରୂପେ

କରୁଛୁ ମା ସମସ୍ତଙ୍କୁ ଅନ୍ନ ବିତରଣ

ଅକାତରେ, ଦୁଃଖୀ ରଙ୍କୀ ଧନୀ ନିର୍ବିଶେଷେ ।’’

କହିଲା ଉଦ୍ୟାନଖଣ୍ଡ- ‘‘ଭାରତ-ବନ୍ଦିତେ !

ତୁମ୍ଭ ଝିଅ ପରା ମୁହିଁ, ଥିବ ଯେବେ କିଛି

ଯୋଗ୍ୟତା ମୋହର, ତାହା ତୁମ୍ଭର ସିନା ମା,

ମାତା ଗୁଣେ କନ୍ୟା ସିନା ହୁଏ ମହୀୟସୀ ।

ମୁଁ ତୁମ୍ଭର, ସୂତା ମୁକ୍ତା ଯାହା ଅଛି ମୋର

ତାହା ତ ତୁମ୍ଭର, ତାହା ତୁମ୍ଭରି ପ୍ରଦତ୍ତ,

ଏହି ଯେ ବାଢ଼ିଲ ତୁମ୍ଭେ ମୋହର ସୁଖ୍ୟାତି,

ତାହା ବି ତ ତୁମ୍ଭର ମା, ଉପଲକ୍ଷ୍ୟ ମୁହିଁ,

ଗାଉଛ ମା ନିଜ ମୁଖେ ନିଜର ପ୍ରଶଂସା ।’’

ଭାଷିଲେ ଏ ବାଣୀ ଶୁଣି ଉତ୍କଳଜନନୀ-

‘‘ଚିରକାଳ ମାଆ ଲୋ ମୁଁ ମୁଗ୍‌ଧ ତୋ ଗୁଣରେ,

ଏବେ ଜ୍ଞାନ-ଗରିମାର ପାଇ ପରିଚୟ

ଲଭିଲି ମୁଁ ଯେ ସନ୍ତୋଷ, କହି ନୁହେଁ ତାହା,

କରିବାକୁ ପ୍ରକାଶ ମୋ ହୃଦୟର ଭାବ

ଶକ୍ତି ନାହିଁ ମୋ ଭାଷାର, ହୋଇଛି ସେ ମୂକ,

ଘେନ ଏବେ ବତ୍ସ, ମୋର ସ୍ନେହ ପୁରସ୍କାର ।’’

ଏହା କହି ଦେବୀ, କାଢ଼ି କଣ୍ଠୁ ପୁଷ୍ପହାର

ଆଦରେ ପିନ୍ଧାଇଦେଲେ ଉଦ୍ୟାନ କଣ୍ଠରେ ।

ପ୍ରଣମି ଉଦ୍ୟାନ ତହୁଁ ଦେବୀ ପାଦମୂଳେ

ଆନନ୍ଦ ଗଦ୍‌ଗଦ ସ୍ୱରେ କହିଲା ଏସନ-

‘‘ସ୍ନେହମୟି, ଏ ହାରଟି ନୁହେଁ ପୁଷ୍ପହାର,

ଧରିଅଛି ପୁଷ୍ପରୂପ ତୁମ୍ଭ ସ୍ନେହରାଶି,

ରତ୍ନହାର ଶତ ଛାର ଏହା ତୁଳନାରେ ।

ଲଭି ମାତୃଦେବୀଙ୍କର ଏ ମହାପ୍ରସାଦ,

ସାର୍ଥକ ଜୀବନ ଜନ୍ମ ହେଲା ଆଜି ମୋର,

ଏ ଅମୃତ ସ୍ନେହ ସ୍ମୃତି, ରହିଲା ଅଙ୍କିତ

ହୃଦୟରେ ମୋର, ମାତଃ ଅକ୍ଷୟ ଅକ୍ଷରେ ।

ମାଗୁଛି ମେଲାଣି ଏବେ ଶ୍ରୀପଦ-ପଙ୍କଜୁ,

ଧାଡ଼ିଦେବେ ଅତିଥିଏ ସନ୍ଧ୍ୟା ହେଲା କ୍ଷଣି

ପିପୀଲିକାମାଳ ପ୍ରାୟ, ମୋ ଗୃହାଭିମୁଖେ,

ନ ଥିଲେ ମୁଁ ଅସୁବିଧା ହେବ ତାହାଙ୍କର ।’’

କହିଲେ ଉତ୍କଳ ଦେବୀ- ‘‘ଯାଆ ତୁ ମାଆ ଲୋ,

ଅତିଥି ବିମୁଖ ହୋଇ ଫେରିଗଲେ ଦ୍ୱାରୁ

ହେବ ଅମଙ୍ଗଳ, ଯାଇ କର ତାଙ୍କୁ ସେବା,

କରୁଛି ମୁଁ ଆଶୀର୍ବାଦ-କର୍ତ୍ତବ୍ୟ ତୋହର

ହେଉ ପୁରସ୍କୃତ, ପ୍ରଭୁ ମଙ୍ଗଳମୟଙ୍କ

ମହାଦରବାରେ, ବଢ଼ୁ ଯଶ ଶ୍ରୀ ଆୟୁଷ ।’’

ଲଭି ମାତୃ ଆଶୀର୍ବାଦ ଉଦ୍ୟାନ-ସୁନ୍ଦରୀ,

ବନ୍ଦି ମାତୃପାଦ, କଲା ଆନନ୍ଦେ ପ୍ରସ୍ଥାନ ।

ଦିଶିଲା ଅଦୂରେ ନୀଳ ସମୁଦ୍ର ବକ୍ଷରେ,

ଆସୁଛି ତରଣୀ ଏକ ରତ୍ନେ ସୁସଜ୍ଜିତ,

କାଟି କାଟି ବୀଚିମାଳା, ପ୍ରତେ ହୁଏ ଯେହ୍ନେ-

ସାଗର-ଅପ୍‌ସରୀ, ମତ୍ତ ଜଳ-ବିହାରରେ,

ଦୁଇ ହାତେ ବୁଣି ବୁଣି ଫେନ-ମୁକ୍ତାରାଶି ।

ମୁହୂର୍ତ୍ତକେ ତରୀ ଆସି ଲାଗିଲା କୂଳରେ,

ଆସିଲା ବାହାରି ତହୁଁ ନାରୀ ମୂର୍ତ୍ତି ଏକ

ଧରି କରେ ସ୍ୱର୍ଣ୍ଣ ଥାଳୀ-ସ୍ୱର୍ଣ୍ଣରେଣୁପୂର୍ଣ୍ଣ,

ଗଢ଼ା ତାର ଅଙ୍ଗଯଷ୍ଟି ତରଳ ସୁବର୍ଣ୍ଣେ,

ଦିଶେ ଯେହ୍ନେ, ନାରୀ ନୁହେଁ-ସୁନାକଣ୍ଢେଇ ସେ ।

ପରିହିତ ବସ୍ତ୍ରେ ତାର ହୋଇଅଛି ବୋଳା

ବହଳେ ସୁବର୍ଣ୍ଣ ରେଣୁ, ନାହିଁ ତା ଶରୀରେ

ଅଳଙ୍କାର, ତଥାପି ସେ ଅନିନ୍ଦ୍ୟ ସୁନ୍ଦର,

ଥିଲେ ଅଳଙ୍କାର, ତାହା ଦିଶନ୍ତା ମଳିନ

ଶରୀର-ଜ୍ୟୋତିରେ ତାର, ଭୂଷଣର ଭୂଷା

ଯେହୁଁ ବ୍ୟର୍ଥ ଭାର ସିନା ଅଳଙ୍କାର ତାର,

ଢାଙ୍କିଦିଏ ଅଳଙ୍କାର ସ୍ୱଭାବ ସୌନ୍ଦର୍ଯ୍ୟେ ।

ଦେବୀଙ୍କ ଛାମୁରେ ଥୋଇ ସ୍ୱର୍ଣ୍ଣରେଣୁ ଥାଳୀ

ସେ ସ୍ୱର୍ଣ୍ଣାଙ୍ଗୀ, ଭକ୍ତିଭରେ ବୋଳି ହୋଇ ଶିରେ

ଦେବୀ ପାଦରେଣୁ, ଧୀରେ କହିଲା ଏସନ-

‘‘ମାତଃ, ମୁଁ ସୁବର୍ଣ୍ଣରେଖା-ତୁମ୍ଭ କିଣାଦାସୀ ।

ତ୍ରେତାଯୁଗେ ରଘୁରାଜା-ରବିକୁଳ-ରବି,

ବିରଚି ବକ୍ଷରେ ମୋର ଚାରୁ ଗଜ-ସେତୁ,

ପାରିକରି ନେଇଥିଲେ ସୈନିକ-ବାହିନୀ,

ତାହା ପୂର୍ବୁ ଅଛି ମୁହିଁ ତୁମ୍ଭର ଅଧୀନା,

କିନ୍ତୁ ତୁମ୍ଭ ପୁତ୍ରଙ୍କର ରାଜତ୍ୱ ଶେଷରେ

ହେଲି ମୁଁ ଦିଫାଳ, ଫାଳେ ରହିଲା ବଙ୍ଗରେ,

ଭୁଞ୍ଜିଲି ଯେ ଦୁଃଖ, ତାହା ବଚନକୁ ବଳେ,

ଜାଣନ୍ତି କେବଳ ତାହା ପ୍ରଭୁ ଅନ୍ତର୍ଯ୍ୟାମୀ,

ଏତିକି ସାନ୍ତ୍ୱନା ମୋର ଥିଲା ସେ କାଳରେ

ନ ଥିଲି ବଞ୍ଚିତ ତୁମ୍ଭ ଚରଣ-ସେବାରୁ ।

ଦୈବେ ଆଜି ଯୋଡ଼ିଗଲା ଦେହ-ଯଷ୍ଟି ମୋର

ହେଲି ମୁଁ ଆଶ୍ଚର୍ଯ୍ୟ, କିଛି ନ ପାରିଲି ବୁଝି

କେଉଁ ଦେବତାର ଏହା ସାର୍ଥ ଆଶୀର୍ବାଦ,

ପୂରିଗଲା ପ୍ରାଣମନ ଅପୂର୍ବ ଉଲ୍ଲାସେ ।

ସାଧୁଥିଲେ ଯୋଗ-ମୋର ତୀରବନେ ବସି

‘ଯୋଗୀ ଏକ, ଜ୍ୟୋତିର୍ମୟ ଭକ୍ତିଚୋରା ମୂର୍ତ୍ତି,

ପୁଚ୍ଛିଲି ମୁଁ ତାଙ୍କୁ ଯାଇ ଜୁହାରି ପୟରେ-

‘ଯୋଗିବର, ସର୍ବଦର୍ଶୀ ସର୍ବଜ୍ଞ ଆପଣ,

ଯୋଗବଳେ କୃପା ବହି କହନ୍ତୁ ହେ ଦେବ,

କି ହେତୁରୁ ଯୋଡ଼ିଗଲା ଛିନ୍ନ ତନୁ ମୋର

ଅକସ୍ମାତ ଆଜି’, ତହୁଁ ଭାଷିଲେ ତାପସ

ମୃଦୁହାସ୍ୟେ, ‘ବତ୍ସ ଶୁଣ ଅବହିତ ମନେ-

ହେଲା ଯେବେ ଏ ଉତ୍କଳ ଖଣ୍ଡବିଖଣ୍ଡିତ

ରାଜନୀତି-ସୂତ୍ରେ, ହାୟ, ସେହି କାଳେ ଦେବୀ,

ଅପମାନେ ଅଭିମାନେ ଛାଡ଼ି ଏ ମହୀକି

ଚାଲିଗଲେ ଦେବଲୋକେ, ମାଟିପିଣ୍ଡ ଖାଲି

ରହିଲା ମାଟିରେ ପଡ଼ି ହୋଇ ହତଶିରୀ ।

କେତେ କାଳ ପରେ ଦେଖି ଦେଶର ଦୁର୍ଦ୍ଦଶା,

ଘେନି ମୁହିଁ ଜ୍ୟେଷ୍ଠ-ଶ୍ରେଷ୍ଠ-କନିଷ୍ଠ ସୋଦାରେ

କଲି ଚେଷ୍ଟା-ମାତୃଅଙ୍ଗ ସଂଯୋଗ ସକାଶେ,

ନୀଳମଣି ବିଦ୍ୟାରତ୍ନ ଥିଲା ମୋର ନାମ,

ହେଲା ନାହିଁ କିଛି ଫଳ ଅନେକ ଚେଷ୍ଟାରେ,

ତହୁଁ ଦୁଃଖେ କ୍ଷୋଭେ ମୁହିଁ ତେଜିଲି ଜୀବନ,

ସେହି ଦିନୁ ମୁହିଁ ତୋର ଏହି ତୀରବନେ

(ଯୋଗିଋଷି ବାଞ୍ଛନୀୟ ତପୋବନ ଯଥା)

କରୁଛି ତପସ୍ୟା ସେହି ଇଷ୍ଟସିଦ୍ଧି ଅର୍ଥେ ।

ଏ ରୂପ ମୋହର ନୁହେଁ ସ୍ୱାଭାବିକ ରୂପ,

ଧରିଛି ମୁଁ ଯୋଗିରୂପ କାମରୂପୀ ଯେଣୁ,

ପ୍ରେତଲୋକବାସୀଙ୍କର ଅଛି ସେ କ୍ଷମତା,

ପାରନ୍ତି ସେ ରୂପ ଧରି ଇଚ୍ଛା ଅନୁରୂପ ।

ପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ

ଏତେ ଦିନେ ହେଲା ମୋର ତପସ୍ୟା ସଫଳ,

ଶୁଣିଲେ ସେ ମୋର ଦୀନ କାତର ପ୍ରାର୍ଥନା

ଦକ୍ଷିଣ କର୍ଣ୍ଣରେ, ଯେଣୁ ଦୀନବନ୍ଧୁ ସେହୁ ।

ଆଜି ମହାପୁଣ୍ୟ ଦିନ-ସୌଭାଗ୍ୟର ଦିନ,

ଉତ୍କଳର ଛିନ୍ନ ଅଙ୍ଗ ହେଲା ସଂଯୋଜିତ,

ସେହି ହେତୁ ବତ୍ସ, ତୋର ଦ୍ୱିଖଣ୍ଡିତ ଦେହ

ଗଲା ଯୋଡ଼ି ହୋଇ, ହେଲା ଦୁଃଖ ତୋର ଦୂର ।

ଆସିଲେଣି ଫେରି ମୋର ଉତ୍କଳ ଜନନୀ

ପୂର୍ଣ୍ଣ ମୂର୍ତ୍ତି ଧରି, ଏବେ ଯାଉଛି ମୁଁ ବତ୍ସ,

ପୁଣି ଜନ୍ମ ଲଭି ଏହି ପୂଣ୍ୟ ଉତ୍କଳରେ,

ଦେଖି ପୂର୍ଣ୍ଣ ମାତୃମୂର୍ତ୍ତି ହେବି ମୁଁ କୃତାର୍ଥ ।

ଦେବଧାମୁ ଆସି ଦେବୀ, ହୋଇଛନ୍ତି ବିଜେ

ସ୍ୱର୍ଗଦ୍ୱାରେ-ମହୋଦଧି ପବିତ୍ର ବେଳାରେ ।’

ଏହା କହି ଯୋଗିମଣି ହେଲେ ଅନ୍ତର୍ଦ୍ଧାନ,

ଆସିଲି ମୁଁ, ମାତଃ, ତୁମ୍ଭ ଦର୍ଶନ ନିମନ୍ତେ,

ହେରି ତୁମ୍ଭ ଦେବୀମୂର୍ତ୍ତି ପୂର୍ଣ୍ଣ ମାତୃମୂର୍ତ୍ତି,

ପଡ଼ୁଅଛି କେତେ କଥା ମନେ, କେତେ ଭାବ

ଉଇଁ ହୃଦୟରେ, ପୁଣି ଭଜୁଛି ବିଲୟ

ନ ସରିବ କହିଲେ ତା’ ସପ୍ତ ଦିବାନିଶି,

କି ଫଳ ଅତୀତେ ଘାଣ୍ଟି, ମରୁ ଗଲା କଥା ।

ମାତୃଦେବୀ, ତୁମ୍ଭେ ପୁଣ୍ୟ ଦେବଲୀଳାଭୂମି

ବହୁକାଳ ପରେ ଦେବୀ, ଦେଖି ମୁଁ ତୁମ୍ଭର

ରାଜରାଜେଶ୍ୱରୀ ମୂର୍ତ୍ତି ହେଲି ସୁପବିତ୍ର ।’’

ଭାଷିଲେ ଉତ୍କଳମାତା, ହସି, ମୃଦୁସ୍ୱରେ-

‘‘କି ମଧୁର ସ୍ୱର ଆହା, କି ସ୍ନିଗ୍‌ଧ ଶୀତଳ,

ହୋଇଛି ସେ ମାତୃସ୍ନେହ-ଚନ୍ଦନରେ ବୋଳା,

ସୁବର୍ଣ୍ଣରେଖା, ପ୍ରାଣର ସୁଦୁଲାଳୀ ମୋର,

ନ ପାରିବି ଶୁଝି ମା ଲୋ ତୋର ସେବା-ଋଣ,

ବିପଦବେଳେ ତୁ ମୋର ପାଦତଳେ ବସି

ରୁଧିରାକ୍ତ ଛିନ୍ନପାଦ ଦେଉଥିଲୁ ଧୋଇ

ଶୀତଜଳେ, କି ଅମୃତ ସ୍ପର୍ଶ ଆହା ତୋର

ଯାତନା-ବେଦନା-ହର, ପ୍ରାଣେ ଶାନ୍ତି-ପ୍ରଦ ।

ପିଣ୍ଡେ ପ୍ରାଣ ଥିଲା ମୋର ତୋହ ଶୁଶ୍ରୂଷାରେ,

ତୁ ସୁଦ୍ଧା ନ ଥିଲୁ ଝିଅ ଅକ୍ଷତ ଶରୀର,

ମୋ ଲାଗି ପାସୋରିଥିଲୁ ସେହି କ୍ଷତବ୍ୟଥା

ଆପଣାର, କେଉଁ ଝିଅ କରନ୍ତା ଲୋ ଏହା ?

ମାତୃପ୍ରାଣା କନ୍ୟା ତୁହି, ଶିଖିବେ ତୋଠାରୁ,

ମାତୃଭକ୍ତି ଦେବକନ୍ୟା, ଋଷିକନ୍ୟାକୁଳ ।

ବଞ୍ଚି ଥା ମାଆ ଲୋ ଘେନି ମୋହରି ଆୟୁଷ ।’’

ସୁନ୍ଦରୀ ସୁବର୍ଣ୍ଣରେଖା ଶୁଣି ମାତୃବାଣୀ,

ନ ଦେଇଣ ଅବସର କହିବାକୁ ଆଉ,

ଭାଷିଲା ବିନୟେ-‘‘ମାତଃ ହେବ ନାହିଁ ଶୁଝି

କୋଟି ଜନ୍ମେ ଦିନକର ଗର୍ଭକଷ୍ଟ ତବ,

ମାତା ପୁଣି ହୋଇପାରେ କନ୍ୟାଠାରେ ଋଣୀ,

ଅସମ୍ଭବ ଏହା, ଦେବୀ, ମୋ ପ୍ରତି ତୁମ୍ଭର,

ସ୍ନେହାଧିକ୍ୟ ହେତୁ, ମୁଖେ ଉଚ୍ଚାରିଲ ଏହା;

ତିଳକୁ ମଣିବ ତାଳ ସ୍ନେହର ସ୍ୱଭାବ ।

ଜଗତେ କାହାର ଅଛି ତୁମ୍ଭଭଳି ମାତା,

ହୋଇ ମୁଁ ନଗଣ୍ୟା, ତୁମ୍ଭ କନ୍ୟା ବୋଲି ଧନ୍ୟା ।

ଗଠିତ ଏ କଳେବର ଯାହାଙ୍କ ତନୁରେ,

ତାଙ୍କରି ସେବାରେ ତାକୁ ଅର୍ପିବା ଉଚିତ-

ଏହା ମୋର ଧର୍ମଜ୍ଞାନ ସମ୍ପୂର୍ଣ୍ଣ ଧାରଣା,

ବୁଝେ ନାହିଁ ଏହା ଭିନ୍ନ ଅନ୍ୟ ଧର୍ମ କିଛି ।

ହେଉଛି ବିଦାୟ ଏବେ ଶ୍ରୀଛାମୁରୁ ଦେବୀ,

ଯେ ଦୁର୍ବହ ଭାର ତୁମ୍ଭେ ଦେଇଛ ମା ଲଦି

ଦୁର୍ବଳ କାନ୍ଧରେ ମୋର, ରହିବାକୁ ଦଣ୍ଡେ

କାହିଁଛି ବା ଅବସର କେଉଁଠି ଜୀବନେ ।’’

କହିଲେ ଉତ୍କଳ ଦେବୀ-‘‘ମା ସୁବର୍ଣ୍ଣରେଖା,

ଯାଇ ଏବେ ରାଜ୍ୟେ ତୋର, ପାଳ ପ୍ରଜାକୁଳ,

କରୁଛି ମୁଁ ଆଶୀର୍ବାଦ, ଆଜୀବନ ତୁହି

ଭୁଞ୍ଜିବୁ ଲୋ ଝିଅ ଏହି ଆନନ୍ଦ ମିଳନ ।’’

ଗମନ୍ତେ ସୁବର୍ଣ୍ଣରେଖା ବନ୍ଦି ମାତୃପାଦ,

ଶୁଭିଲା ଆକାଶେ ଶବ୍ଦ, ଭୀଷଣ-ଗଭୀର,

ଯେହ୍ନେ ମହାଭୁଜଙ୍ଗମ ଗର୍ଜୁଛି ସରୋଷେ ।

କ୍ଷଣକେ ଦିଶିଲା ଏକ ବୃହତ ବିହଙ୍ଗ

ଉଡ଼ୁଛି ଊର୍ଦ୍ଧ୍ୱରେ, ତହୁଁ ଆସିଲା ସେ ଖସି

ବେଳା ଅଭିମୁଖେ, ଖରେ, ନକ୍ଷତ୍ର ଗତିରେ

ସାଗର ଶିକାରୀ ପକ୍ଷୀ ଧାଇଁ ଆସେ କିବା

ଝାମ୍ପି ନେବା ପାଇଁ ସିନ୍ଧୁବକ୍ଷଚାରୀ ଜୀବେ ।

ମୁହୂର୍ତ୍ତକେ ଏ ସନ୍ଦେହ ହେଲା ତିରୋହିତ,

ପକ୍ଷୀ ନୁହେଁ ନଭ-ପୋତ ତାହା, ଓହ୍ଲାଇ ସେ

ରହିଲା ବେଳାରେ, ଛାଡ଼ି କ୍ଳାନ୍ତର ନିଃଶ୍ୱାସ ।

ବାହାରିଲା ତହୁଁ ଏକ ନାରୀ ଶୀର୍ଣ୍ଣଦେହା

ଚିନ୍ତା-ରାଜ୍ୟ ପ୍ରଜା ପ୍ରାୟ, କିମ୍ବା ଆସିଛି ସେ

ରୋଗଶେଯୁ ସଦ୍ୟ ଉଠି, ଫୁଟିଅଛି ହାସ

ନୀରସ ଅଧରେ ତାର, ଫୁଟିଥାଏ ଯଥା

ଜୀର୍ଣ୍ଣ ଲତିକାରେ ଫୁଲ କ୍ଷୀଣ, ପ୍ରଭାହୀନ ।

ଦେବୀଙ୍କ ଛାମୁରେ ଆଣି ଭେଟିଲା ସେ ନାରୀ

ପାନବଟାଟିଏ, ତାହା କଉଡ଼ି-ନିର୍ମିତ,

ଭେଟେ ଯଥା ଲତାରାଣୀ କାନନ-ଚନ୍ଦ୍ରିକା

ବାସନ୍ତୀ-ସମ୍ରାଜ୍ଞୀ ପଦେ କୁସୁମ-ରତନ ।

ନମି ଦେବୀପାଦେ ସେହୁ, ଉଭା ହେଲା ପାଶେ,

ପୁଛିଲେ ଉତ୍କଳମାତା-‘‘କି ମେଦିନୀ ସଖି,

କିମ୍ପା ଏଡ଼େ କ୍ଷୀଣ ତୁମ୍ଭେ, ମଳିନ, ଦୁର୍ବଳ ?’’

କହିଲା ମେଦିନୀପୂର-‘‘ତୁମ୍ଭ ବିଚ୍ଛେଦରେ

ଏ ଦଶା ମୋହର ଦେବୀ, ତୁମ୍ଭଠାରୁ ଯେବେ

ହେଲି ମୁଁ ବିଚ୍ଛିନ୍ନ, ହାୟ, ଦୁର୍ଭାଗ୍ୟ ଦୋଷରୁ

ସେହି ଦିନୁ ଝୁରି ଝୁରି ଦାରୁଣ ନୈରାଶ୍ୟେ

ହେଲି ଅସ୍ଥିଚର୍ମସାର, ‘ଲୁଣ ଖାଏ ହାଣ୍ଡି,

ଚିନ୍ତା ଖାଏ ଗଣ୍ଡି’, ନୁହେଁ ମିଥ୍ୟା ଏ ପ୍ରବାଦ ।

ଦୁର୍ଭାଗ୍ୟରୁ ତରୁଦେହୁ ଛିନ୍ନ ହେଲେ ଶାଖା

ଭୁଞ୍ଜେ ଯେ ଦୁର୍ଗତି, ତାହା ସେହି ଜାଣେ ଏକା ।’’

ଏ କାଳେ ପଡ଼ନ୍ତେ ଦୃଷ୍ଟି ଗଞ୍ଜାମ ଉପରେ,

କହିଲା ମେଦିନୀପୁର, ପ୍ରୀତିବୋଳା ସୁରେ-

‘‘କିଏ ଗୋ ଗଞ୍ଜାମ ଦିଦି, ଜୁହାର ଭଉଣୀ ।’’

ଉଚ୍ଚ ସ୍ୱରେ ହସି ତହୁଁ କହିଲା ଗଞ୍ଜାମ-

‘‘କି ସୌଭାଗ୍ୟ, ସାଥ ହେଲା କର୍ଣ୍ଣ ଆଜି ମୋର,

ହୋଇଅଛି ଅପା ମୋର ଖାଣ୍ଟି ବଙ୍ଗାଳୁଣୀ,

ନାହିଁ ପରା ଅପା, ନାନି-ଅଭିଧାନେ ତବ,

ଯା ହେଉ, କୃତାର୍ଥ ମୁହିଁ ଦିଦି ସମ୍ବୋଧନେ ।’’

ଶୁଣି ସଖୀ-ପରିହାସ, ସଲଜ୍ଜେ ମେଦିନୀ

କହିଲା ଦଂଶନି ଜିହ୍ୱା ମୃଦୁ ମଧୁହାସେ-

‘‘ତୁମ୍ଭେ କବିମାତା, ଦକ୍ଷା ପରିହାସେ ତେଣୁ,

ନୁହେଁ ଏହା ଦୋଷ ମୋର-ସଂସର୍ଗର ଫଳ,

ସଂସର୍ଗରୁ ଦୋଷ ଗୁଣ ଉଭୟ ସଂଜାତ,

ତୁମ୍ଭେ ସୁଦ୍ଧା ସଖି, ତହୁଁ ନୁହଁ ତ ବିମୁକ୍ତ,

ଆୟା, ସିଲ ଥିବା ପରା ତୁମ୍ଭ ଅଭିଧାନେ ।’’

ଏଥୁଅନ୍ତେ ସ୍ନେହମୟୀ ଉତ୍କଳ ଜନନୀ

ବସାଇଣ ନିଜ ପାର୍ଶ୍ୱେ ମେଦିନୀ ମହୀକି

ପୁଛିଲେ ସସ୍ମିତେ,-‘‘ସଖି, ଏ ଅପୂର୍ବ ଯାନ

କାହାର ନିର୍ମିତ, ମୋର ପୁତ୍ରମାନେ ଅବା

ଶିଖିଲେଣି ବିଜ୍ଞାନର ଉଚ୍ଚ କଳାବିଦ୍ୟା,

ସତେ କି କଲେଣି କହ ଏଭଳି ଉନ୍ନତି ?’’

ଭାଷିଲା ମେଦିନୀ ମହୀ-‘‘ଦେବୀ, ପୁତ୍ରେ ତବ

ଅବିଦ୍ୟାରେ କରିଛନ୍ତି ଅଶେଷ ଉନ୍ନତି,

ଏଭଳି ସ୍ୱାଧୀନ ଶୁଭବିଦ୍ୟା, ଅସମ୍ଭବ

ତାଙ୍କ ପକ୍ଷେ-ବହୁ ଶତ ଶତାବ୍ଦୀ ଅନ୍ତରେ ।

ନିର୍ମିତ ଏ ଯାନ, ଦେବି, ପାଶ୍ଚାତ୍ୟ ମଣ୍ଡଳେ,

ଏହାଠାରୁ ବଳି ନାହିଁ ବେଗଗାମୀ ଯାନ ।

ଆସିଛି ଏ ଦେଶେ ଏହା, ଏ ଦେଶବାସୀଙ୍କ

ଚରିତାର୍ଥ କରିବାକୁ ବିଳାସ ବାସନା ।

ଶୁଣି ସିନ୍ଧୁତୀରେ ତବ ବିଜେ ହେବା ବାର୍ତ୍ତା

ଆତୁର ହେଲା ମୋ ମନ ତୁମ୍ଭ ଦର୍ଶନାର୍ଥେ,

ତହୁଁ ଭଡ଼ା କରି ଏହି ବାୟୁଗତି ଯାନେ

ଆସିଛି ମୁଁ ତ୍ୱରା ଏଥି ପହଞ୍ଚିବା ପାଇଁ,

କିନ୍ତୁ ମନ ଆସିଲାଣି ଆଗରୁ ମୋହର,

ପଛେ ଧାଇଁ ନ ପାରିଲି ସଙ୍ଗ ଧରି ତାର ।’’

କହିଲେ ଉତ୍କଳମାତା ଦୀର୍ଘଶ୍ୱାସ ତେଜି-

‘‘ବୁଝିଲି, ଏ କାଳେ ମୋର ପୁଅମାନେ ପରା

ଯାଉଛନ୍ତି ଯାତ୍ରା ଦେଖି ପରଲୁଗା ପିନ୍ଧି,

କି ଭୀଷଣ ଲଜ୍ଜା, ହାୟ, କି ଦାରୁଣ କ୍ଷୋଭ !

ଶିଖି ନାହିଁ ଯେଉଁ ଜାତି ନିଜ ଗୋଡ଼େ ଚାଲି,

ହୋଇ ନାହିଁ ମନୁଷ୍ୟ ସେ-ଶଯ୍ୟାଶାୟୀ ଶିଶୁ,

ରଖେ ସୁପ୍ତ କରି ନିଜେ ନିଜର ଶକ୍ତିକୁ ।

ଅତୀତ ଗୌରବ ନିତ୍ୟ ନ କଲେ ସ୍ମରଣ,

ନୁହେଁ ତ ସୁଲଭ ସଖି, ଶକ୍ତିର ବିକାଶ,

ନିତି ଦେଖି ସ୍ୱଚକ୍ଷୁରେ ପଡ଼ିଶା ଉନ୍ନତି

ରହିବ ଯେ ଅନ୍ଧ ହୋଇ, ନ ଚାହେଁ ତା ମୁଖ

ଉନ୍ନତି, ନୟନକୋଣେ, ହତଭାଗ୍ୟ ସେହୁ,

ନ ହୁଏ ଅଶକ୍ତ କେବେ ଶକ୍ତିର ସନ୍ତାନ,

ଯାଇଛନ୍ତି ଭୁଲି ଏହା ପୁତ୍ରମାନେ ମୋର ।

ମାନବର ପ୍ରାପ୍ୟ ଯାହା ଦେଇଛି ବିଧାତା

ସକଳ ମାନବେ ତାହା, ସମାନ ଭାବରେ,

ଜଣକର ସାଧ୍ୟ ଯେ, ସେ ସଭିଙ୍କର ସାଧ୍ୟ,

ନ ବିଚାରି ଜନେ ଏହା, ଦୋଷନ୍ତି ଅଦୃଷ୍ଟେ,

କିନ୍ତୁ ଅଦୃଷ୍ଟ ଯେ ନିଜ କର୍ମରେ ଗଠିତ,

ଯାଆନ୍ତି ପାସୋରି ତାହା ନିଜ ବୁଦ୍ଧିଦୋଷେ ।

ଏ ସଂସାର କୃଷିକ୍ଷେତ୍ର, କରିବ ଏଠାରେ

ଯେତେ କୃଷି ଯେହୁ, ତେତେ ପାଇବ ସେ ଫଳ

ସେ କୃଷିର ଉପାଦାନ ସ୍ୱତନ୍ତ୍ର ସକଳ,

ଉତ୍ସାହ, ଉଦ୍ୟମ ତହିଁ ଯୁଗଳ ବଳଦ,

ସୁବୁଦ୍ଧି ଯୁଆଳି, ନିଷ୍ଠା ଈଶ, ଶକ୍ତ ଫାଳ,

ବିଶ୍ୱାସ ଲଙ୍ଗଳ, ଯେହୁ ନ ଜାଣେ ସେ କୃଷି,

ଦୀନ ପଞ୍ଚାକ୍ଷରୀ ମନ୍ତ୍ର ଜପେ ସେ ଆପ୍ରାଣ ।

ନିଜକୁ ମଣନ୍ତି କ୍ଷୁଦ୍ର ନରାଧମ ଜନେ,

ହେଉନ୍ତୁ ସେ କ୍ଷୁଦ୍ର ପଛେ, ମାତ୍ର ତାଙ୍କ ଦେହେ

ଶୋଇଅଛି ଶକ୍ତି-ସିଂହ, ଅତୁଳ-ପ୍ରଭାବ,

ଉଠିଲେ ସେ ଦୁପ୍ତବୀର କେଶର ଫୁଲାଇ,

କ୍ଷୁଦ୍ରତାକୁ ଗଢ଼ିଦେବ କରି ମହୀୟାନ ।

ନ କଲେ ଜାଗ୍ରତ ତାକୁ, ଡରି ମରି ଥରି

ରହିଥିବ କ୍ଷୁଦ୍ର ସଦା ଅତିକ୍ଷୁଦ୍ର ହୋଇ,

ଭୟକୁ ଯେ ଭୟ କରେ ଅତି କ୍ଳୀବ ସେହୁ,

ଭୟକୁ ଆକର୍ଷି ଯେହୁ କରିପାରେ ଚଳୁ-

ସାଗରେ ଅଗସ୍ତି ଋଷି ଚଳୁ କଲା ପ୍ରାୟ,

ଭୟ ତାକୁ ବାଟ ଛାଡ଼େ ଦେଖିଲେ ସଭୟେ,

ଛାଡ଼ିଦିଏ ବାଟ ଯଥା ଗୁଣିଆକୁ ଭୂତ ।

ନ ବୁଝେ ମନୁଷ୍ୟ ହୋଇ ମୂଢ଼ପଣେ ଯେହୁ

ମନୁଷ୍ୟ ଜନ୍ମର ମୂଲ୍ୟ, ସେ ତ ଜଡ଼ପିଣ୍ଡ,

ଖାଇ ପିଇ ହସି ଖେଳି ମରିଯିବା ପାଇଁ

ଆସି ନାହିଁ ମର୍ତ୍ତ୍ୟଧାମେ ମାନବ କଦାପି,

ନୁହେଁ ତାହା ବିଧାତାର ଉଦ୍ଦେଶ୍ୟ, ଆଦେଶ,

ଆସିଛି ସେ ସିନା ସଖି, ମୁଣ୍ଡରେ ମୁଣ୍ଡାଇ

ଗୁରୁତର କର୍ତ୍ତବ୍ୟର ଗୁରୁତର ଭାର ,

ପ୍ରାଣପଣେ ସେ କର୍ତ୍ତବ୍ୟ କରି ସମ୍ପାଦନ,

ମରି ଶେଷେ କରିଯିବ ନିଜକୁ ଅମର,

ହେବ ତେବେ ସାର୍ଥ ତାର ଜନମ, ଜୀବନ ।

ଦୁଃଖକୁ କିପାଇଁ ଭୟ, କାହିଁକି ବା ଘୃଣା,

ସୁଖ ଦୁଃଖ ମଧ୍ୟେ ନାହିଁ ପ୍ରଭେଦ କିଛିହିଁ,

ଦୁଃଖରୂପେ ଆସେ ସୁଖ, ଛଦ୍ମବେଶ ଧରି,

ଶେଷେ ପୁଣି କରେ ନିଜ ସ୍ୱରୂପ ପ୍ରକାଶ ।

ଲୁଚିଥାଏ ଦୁଃଖ ମଧ୍ୟେ ସୁଖ ସଂଗୋପନେ

ଭସ୍ମରେ ଅନଳ ପ୍ରାୟ, ଦୁଃଖ ଅଭାବରେ

ସୁଖର ରହିବ ନାହିଁ ଅସ୍ତିତ୍ୱ, ମହତ୍ତ୍ୱ ।

କର୍ତ୍ତବ୍ୟରେ ଦୁଃଖଭୋଗ, ସୁଖଠାରୁ ବଳେ,

କର୍ତ୍ତବ୍ୟ ଅନଳ, ଶୁଦ୍ଧ ହୁଏ ସେ ଅନଳେ

ଚରିତ୍ର-ସୁବର୍ଣ୍ଣ, ଯଥା ଦେବ ସ୍ପର୍ଶେ ଫୁଲ ।

ଭାଗ୍ୟ ବୋଲି ଯାକୁ ସଖି, ବୋଲନ୍ତି ଜଗତେ-

ଜାତ କର୍ତ୍ତବ୍ୟରୁ ତାହା, କର୍ତ୍ତବ୍ୟ ଦେବତା ।

ନିଜର କର୍ତ୍ତବ୍ୟ ପାଳି ରବି, ଶଶୀ, ବାୟୁ,

ହୁଅନ୍ତି ଦେବତାରୂପେ ବିଶ୍ୱରେ ପୂଜିତ ।

ଭାଗ୍ୟ କେହି କାହାରିକି ଦିଏ ନାହିଁ ଗଢ଼ି,

Unknown

ଆପଣା ହାତରେ ହୁଏ ଗଢ଼ିବାକୁ ତାହା,

ନାହିଁ ତାର ଭାଗ୍ୟ, ଚିର-ପର-ପ୍ରତ୍ୟାଶୀ ଯେ,

ଘଟିଅଛି ସେହି ଦଶା ପୁତ୍ରଗଣେ ମୋର ।

ପୁତ୍ରଗୌରବର ସୁଖ ନାହିଁ ଯା ଭାଗ୍ୟରେ

କୋଟି ପୁତ୍ର ହେଲେ ସୁଦ୍ଧା ବନ୍ଧ୍ୟା ସେ ଜନନୀ ।

କେଉଁ ଧାତୁ କେଉଁ ରତ୍ନ ନାହିଁ ମୋର ଗର୍ଭେ,

କେଉଁ ଧନ ନାହିଁ ମୋର ବନ ପର୍ବତରେ,

ସାଗରେ, ସରିତେ, ହ୍ରଦେ, ନାହିଁ କିସ ମୋର,

କୋଟି ରତ୍ନ ଅଛି ମୋର ଗୋଟିଏ ରେଣୁରେ,

ନକରି ସଂଗ୍ରହ ତାହା ମୋର ପୁତ୍ରମାନେ

ପେଟ ଚାଖଣ୍ଡକ ପାଇଁ ବୁଲନ୍ତି ବିଦେଶେ,

ଅନାହାରେ ଅର୍ଦ୍ଧାହାରେ ଯାପନ୍ତି ଜୀବନ ।

କେଉଁ ବିଦ୍ୟା ନାହିଁ ଅବା ଗନ୍ତାଘରେ ମୋର,

ଦେଖିଛି ଯେ ପୁଣ୍ୟକ୍ଷେତ୍ର ପୁରୀ, ଯାଜପୁର,

କୋଣାର୍କ, ଭୁବନେଶ୍ୱର ଆଦି ଦେବାଳୟ,

ଦେଖିଛି ଯେ ବାରବାଟୀ ଭଗ୍ନ ମହାଦୁର୍ଗ,

ସେହି ସିନା ଜାଣେ ମୋର ବିଦ୍ୟାର ମହିମା,

ଛାଡ଼ି ନିଜ ଘରବିଦ୍ୟା ପୁତ୍ରମାନେ ମୋର,

ପଢ଼ୁଛନ୍ତି ଏବେ ପରା ସଉଖୀନ ପାଠ ।

ତେଜି ଲଜ୍ଜା, ଅପମାନ, ଭିକାରୀ ପରାୟେ

ପରଦ୍ୱାରେ ଛାଡ଼ୁଛନ୍ତି ଦେହି ଦେହି ରଡ଼ି ।

କରୁଛନ୍ତି ହାହାକାର ବକ୍ଷେ ତାଡ଼ି କର,

ଯାଉଛନ୍ତି ଗଡ଼ି ସଢ଼ି ରୋଗେ, ଉପବାସେ-

ଦୁର୍ଭିକ୍ଷ ଦାଉରେ ପୁଣି, ହାୟ, କି ଦୁର୍ଗତି !

କେତେ ଆସି ଘରେ ମୋର ହେଉଛନ୍ତି ପୋଷି-

ଦୁଧ, ଘିଅ, ପିଠା, ପଣା, ଖଜା, ଗଜା ଖାଇ,

ନ ପାଇଣ ଯାଉ ପେଜ କାନ୍ଦନ୍ତି ମୋ ପୁଏ,

କି କହିବି ସଖି, ଆଉ ହୃଦୟ-ବେଦନା,

ଫାଟିଯାଏ ଛାତି ମୋର ଶତଖଣ୍ଡ ହୋଇ ।’’

କହୁଁ କହୁଁ ଦେବୀଙ୍କର ଯୁଗଳ ନୟନ

ଆସିଲା ସଜଳ ହୋଇ, ଅସମ୍ଭାଳ କ୍ଷୋଭେ,

ହେଲା କି ସରୋଜ ଆହା ଶିଶିର-ବିଷିକ୍ତ !

ଦେଖି ଏହା ପ୍ରିୟସଖୀ ମେଦିନୀ ସୁନ୍ଦରୀ

କହିଲା-‘‘ତେଜ ଗୋ ଦେବୀ, ଖେଦ, ଅନୁତାପ,

ଖଣ୍ଡ ଖଣ୍ଡ ହେବା ଯୋଗୁଁ ତୁମ୍ଭର ଶରୀର

ଘଟିଥିଲା ଅଧୋଗତି ପୁତ୍ରଙ୍କର ତବ,

ପାହିଲାଣି ସେ ସଙ୍କଟ-ରାତ୍ରି, ଉଦେ ହେବେ-

ଏବେ ନବ ଦିନମଣି, ବ୍ୟାପିବ ସର୍ବତ୍ର

ଉନ୍ନତିରେ ସମୁଜ୍ଜ୍ୱଳ କନକ କିରଣ,

କମଳିନୀ ତୁମ୍ଭେ, ହେରି ସେହି ନବସୂର୍ଯ୍ୟେ

ଲଭିବ ପୁଲକ, ତୃପ୍ତି, ହସିବ ଗୌରବେ ।

ବୋଳିହୋଇ ସେ ଆଲୋକେ ସନ୍ତାନେ ତୁମ୍ଭର

ଗଢ଼ିନେବେ ଜଗତରେ ନିଜର ଆସନ ।

ନ ହେବେ ସେ ଅଭାଜନ, ତୁମ୍ଭ ପୁତ୍ର ଯେଣୁ,

ମାତୃଗୁଣ ପୁତ୍ରପ୍ରାଣେ ବିସ୍ତାରେ ପ୍ରଭାବ ।

ଯେଉଁ ପୁତ୍ରେ କରିଥିଲେ ମୁଖୋଜ୍ଜ୍ୱଳ ତବ,

ତାଙ୍କରି ତ ବଂଶଧର ବର୍ତ୍ତମାନ ପୁତ୍ରେ,

ଶରୀର ତାଙ୍କର ଦେବୀ, ହୋଇଛି ଗଠିତ

ପୂର୍ବପୁରୁଷଙ୍କ ରକ୍ତେ, ହେବେ କି ସେ ହୀନ,

ସିଂହଛୁଆ କେଉଁ କାଳେ ହୁଏ ନାହିଁ ଭୁଆଁ ।

ପୁତ୍ରଗୁଣେ ନାମ ତବ ଲେଖା ହେବ ଦେବୀ,

ଗୌରବ-ଖାତାରେ, କୀର୍ତ୍ତି ଉଠିବ ମହକି,

ମହକେ ଯେସନ ପୂଜାବେଦୀ, ଧୂପ-ପୁଷ୍ପ-

ହୋମଧୂମ-ଚନ୍ଦନର ମଧୁର ସୌରଭେ,

ହେବ ତୁମ୍ଭେ ଗଣ୍ୟ, ଧନ୍ୟ, ବରେଣ୍ୟ ଜଗତେ ।’’

ଏ ସମୟେ ତିନିଦେବୀ, ତିନି ଆଡ଼ୁ ଆସି

ହେଲେ ତହିଁ ଉପସ୍ଥିତ, ଦିଗ ଦୀପ୍ତ କରି,

ତିନିହେଁ ସ୍ୱନାମାଙ୍କିତ ମୁକୁଟମଣ୍ଡିତା ।

ପ୍ରଥମା ମୁକୁଟେ ଲେଖା ଉତ୍କଳ ଅକ୍ଷରେ-

‘‘ସିଂହଭୂମି-ସିଂହଭୂମ ଅଧିଷ୍ଠାତ୍ରୀ ଦେବୀ,

ଦ୍ୱିତୀୟାର‘‘ରାୟପୁରୀ’’, ତୃତୀୟା ମୁକୁଟେ

ଶୋଭାଙ୍ଗୀ ‘‘ବିଳାସପୁରୀ’’ ସୁପବିତ୍ର ମହୀ ।

ପହିଲେ ପ୍ରଥମା ଯାଇ ବନ୍ଦି ଶ୍ରୀଚରଣ

ଦେବୀଙ୍କର, ଭେଟିରୂପେ ଥୋଇଲା ସମ୍ମୁଖେ-

ମଧୁପୂର୍ଣ୍ଣ ମଧୁଚକ୍ର, ପତର-ଠୋଲାରେ ।

ପୁଚ୍ଛିଲେ ମଧୁରେ ଦେବୀ, ‘‘କୁଶଳ ତ ସଖି,

ବସ ଏହି ପ୍ରିୟମ୍ବଦା ଗଞ୍ଜାମଙ୍କ ପାଶେ ।’’

‘‘ସର୍ବାଂଶେ କୁଶଳ ମୋର ତୁମ୍ଭ ଦରଶନେ’’

ଭାଷି ଏହା ସିଂହଭୂମି ବସିଲା ଆସନେ ।

ଏ ଅନ୍ତେ ଦ୍ୱିତୀୟା ଆସି, ଚାରୁ ହୀରାହାର

ଲମ୍ବାଇ ଦେବୀଙ୍କ କଣ୍ଠେ, ନମିଲା ପୟରେ ।

କହିଲେ ଉତ୍କଳମାତା-‘‘ସୁପ୍ରଭାତ ଆଜି

ବେଦନାହାରିଣୀ ଏହି ମେଦିନୀ ନିକଟେ,’’

ବସିଲା ସେ ଯଥାସ୍ଥାନେ ଯେ ଆଜ୍ଞା ଉଚ୍ଚାରି ।

ତୃତୀୟା ପ୍ରଣମି ପଦେ, ଦେଲାକ ପିନ୍ଧାଇ

ରୁଚିର ଇଙ୍ଗୁଦି ହାର ଦେବୀଙ୍କ ଶ୍ରୀକଣ୍ଠେ,

ସୁମଞ୍ଜୁଳ ଗୁଞ୍ଜପୁଞ୍ଜ ମଧ୍ୟମଣି ତାର,

ପ୍ରବାଳ ପଦକ ଯଥା ମାରକତି ହାରେ ।

କହିଲା ସେ-‘‘ମୋ ଜୀବନେ ଶୁଭଦିନ ଆଜି,

ଚାହିଁଥିଲି ପ୍ରଭାତେ ମୁଁ ଶଙ୍ଖଚିଲ ମୁହଁ,

ସେ ଶୁଭ ଶକୁନ ଫଳେ ଦେଖିଲି ଏଠାରେ

ପୁଣ୍ୟ ପାଦ ତବ, ମୋର ବାଞ୍ଛିତ ସମ୍ପଦ,

ଜୀବନ କୃତାର୍ଥ ଆଜି, ଜନମ ସଫଳ ।’’

ଅନନ୍ତର ଉପସ୍ଥିତ ଦେବୀ ମୂର୍ତ୍ତି ଏକ

ଗୋଲାପ କୁସୁମମାଳା ଧରି ଏକ ହସ୍ତେ,

ଅନ୍ୟ ହସ୍ତେ ସ୍ୱର୍ଣ୍ଣପାତ୍ରେ ଘୋରା ମଳୟଜ ।

ଭକ୍ତ ଆକର୍ଷଣୀ ମୂର୍ତ୍ତି, ପାଟଳ ନୟନେ

ରାଜେ ସ୍ୱଚ୍ଛ ନୀଳଡ଼ୋଳା, ପଦ୍ମ ପାଖୁଡ଼ାରେ

ବସିଛି କି ଶିଶୁଭୃଙ୍ଗ, ଆଭାସେ ଏସନ ।

ସ୍ଫୁରି ସ୍ନିଗ୍‌ଧ ଶୁଭ୍ରଜ୍ୟୋତି ଦେବୀଙ୍କ ଶରୀରୁ

କରୁଅଛି ଆଲୋକିତ ସିନ୍ଧୁ ମହାବେଳା ।

ପ୍ରସନ୍ନ ପାବନ ଦୃଷ୍ଟି ଦୟାରେ ଶୀତଳ,

ଝରିପଡ଼େ ତହୁଁ ଯେହ୍ନେ ସ୍ନେହାମୃତ ଧାରା,

ଦୀପ୍ତ ସରସିଜ ମୁଖ ମହିମା-ମୟୂଖେ ।

ହେରି ସେ ମଧୁର ମୂର୍ତ୍ତି, ପ୍ରତେ ହୁଏ ଯେହ୍ନେ

ଅବତରି ସ୍ୱର୍ଗଧାମୁ ବିଦ୍ୟାଧରୀଟିଏ

ସିନ୍ଧୁବାୟୁ ସେବନାର୍ଥେ ଉପସ୍ଥିତ ଏଥି ।

ଉତ୍କଳ ଜନନୀ କଣ୍ଠେ ଲମ୍ବାଇ ସେ ଦେବୀ

ସୁରମ୍ୟ ଗୋଲାପମାଳା, ବୋଳି ତାଙ୍କ ଦେହେ

ଘର୍ଷିତ ଚନ୍ଦନ, ପଦେ ବିହିଲେ ପ୍ରଣତି ।

ଉଠାଇ ସାଗ୍ରହେ ତାଙ୍କୁ ଉତ୍କଳ-ଜନନୀ

ନମସ୍କୃତା ତନୟାକୁ ଜନୟିତ୍ରୀ ଯଥା,

ବସାଇ ଆଦରେ ପାଶେ, ଭାଷିଲେ ଏସନ-

‘‘ଉପବିଷ୍ଟା ଦେବୀଗଣେ, ପାରିଲ କି ଚିହ୍ନି

ଏ ଦେବୀଙ୍କୁ ତୁମ୍ଭେମାନେ, ଶୁଣ ଅବହିତେ,

ପିଣ୍ଡ ମୁହିଁ, ଏ ମୋହର ଆତ୍ମା ବୋଲି ଜାଣ ।

ବହନ୍ତି ଏ ପୁଣ୍ୟଶ୍ଳୋକା ‘‘ଜୟପୁରୀ’’ ନାମ,

ବିରାଜେ ଏହାଙ୍କ ବକ୍ଷେ ଡୁଡୁମା ପ୍ରପାତ

(ଦ୍ୱିତୀୟ ପ୍ରପାତ ଯେହୁ ଅବନୀମଣ୍ଡଳେ)

ଦୁଇଶତ ହସ୍ତ ଊର୍ଦ୍ଧ୍ୱୁ ସ୍ତମ୍ଭାକାରେ ଜଳ

ପଡ଼ୁଛି କଚାଡ଼ି ତଳେ ଗରଜି ଗମ୍ଭୀରେ,

କୋଟି କ୍ରୁଦ୍ଧ ମହାବଳ ଗର୍ଜନ୍ତି ଯେସନ !

ସେ ଗର୍ଜନେ ବିକମ୍ପିତ ବନଗିରି ସଦା

ମହାପ୍ରପାତର ସେହି ରୁଦ୍ର ମହାଶକ୍ତି

ଯାଉଛି ମିଳାଇ ହାୟ ବନସ୍ତ ମଧ୍ୟରେ ।

ପ୍ରକୃତିର ସେ ବିରାଟ ଶକ୍ତି ପ୍ରଭାବରେ

ପାରନ୍ତା ସାଧିତ ହୋଇ କେତେ ମହାକାର୍ଯ୍ୟ

ଲକ୍ଷ ଲକ୍ଷ ଲୋକେ ତହିଁ ହୁଅନ୍ତେ ପୋଷିତ,

କିନ୍ତୁ ତାହା ହେଉଅଛି ବିଫଳ କେବଳ ।

ଏଥୁ ବଳି କ୍ଷୋଭ ଆଉ କି ଅଛି ଅଧିକ

ଭୋକେ ଶୋଷେ ମୋ ସନ୍ତାନେ ଅଣ୍ଡାଳନ୍ତି ପେଟ,

ତଥାପି ନ ପଡ଼େ କାହା ଦୃଷ୍ଟି ଏଥି ପ୍ରତି,

କି ଫଳ ବା କ୍ଷୋଭେ, ହାୟ ହୀନକପାଳୀ ମୁଁ !

ନିବସି ବିରହୀ ଯକ୍ଷ ଯେ ଗିରି ଆଶ୍ରମେ,

ପେଷିଥିଲା ଦୂତରୂପେ ଘନେ ପ୍ରିୟା ପାଶେ,

ସେହି ରାମଗିରି ରାଜେ ଏହାଙ୍କ ବକ୍ଷରେ,

କେତେ ଯେ ବିଭବ, କେତେ ଆରଣ୍ୟ ସମ୍ପଦ

ଅଛି ଏହାଙ୍କର, ତାହା କେ ପାରିବ କଳି,

କିନ୍ତୁ ସବୁ ଅନାସ୍ଥାରୁ ହେଉଅଛି ବ୍ୟର୍ଥ ।

ଉଇଁଲେଣି ଏହାଙ୍କର ଭାଗ୍ୟ-ନଭେ ଶୁଭେ

ତ୍ରିବିକ୍ରମ ସମ ରାଜା ଶ୍ରୀ ବିକ୍ରମ ଦେବ,

ଖଣ୍ଡିବେ କଷଣ ସେହୁ ଏହାଙ୍କର ଏବେ ।

କି ବର୍ଣ୍ଣିବି ଏକମୁଖେ ମହତ୍ତ୍ୱ ତାଙ୍କର,

ବହନ୍ତି ସେ ଦୁଇହସ୍ତ, ମାତ୍ର ଶତହସ୍ତେ

କରୁଛନ୍ତି ଅର୍ଥଦାନ ବହୁ ସତ୍କାର୍ଯ୍ୟରେ,

ଭାରତ-ବିଖ୍ୟାତ ତାଙ୍କ ଋଷିତ୍ୱ, ପାଣ୍ଡିତ୍ୟ,

ତାଙ୍କ ଯୋଗୁଁ ରାଜନ୍ୱତି ବୋଲାନ୍ତି ଏ ଦେବୀ ।

ତାଙ୍କ ପରି ରାଜଧର୍ମୀ ଦେବରୂପୀ ରାଜା

ବିଧାତାର ମହାଦାନ ଏହାଙ୍କ ଭାଗ୍ୟରେ ।’’

ଏହା ଭାଷି ନୀରବନ୍ତେ ଉତ୍କଳ ଜନନୀ,

ଉଠି ତହୁଁ ଦେବୀଗଣେ କହିଲେ ଏସନ,-

‘‘ବିଚ୍ଛେଦ-ଜନିତ ବହୁ କାଳ ଅଦର୍ଶନେ

କରୁଥିଲୁ ଆମ୍ଭେମାନେ ଦୋଚିହ୍ନା ଏହାଙ୍କୁ,

ଚିହ୍ନିଲୁଣି ଏବେ, ଏ ତ ଭଗିନୀ ଆମ୍ଭର

ଆମ୍ଭେ ସର୍ବେ ତୁମ୍ଭ ଅଂଶ, ଏକ ଶରୀରର

ହସ୍ତ ପଦ ଚକ୍ଷୁ କର୍ଣ୍ଣ ଆଦି ଅବୟବ

ହୁଅନ୍ତି କି ପରସ୍ପର ଅଚିହ୍ନା କଦାପି ?’’

ଏହା ଭାଷି ଆନନ୍ଦରେ ହୋଇ ଅଗ୍ରସର

ସମସ୍ତେ ଜୟପୁରୀଙ୍କୁ କଲେ ଆଲିଙ୍ଗନ ।

ବଖାଣିଲେ ତହୁଁ ଦେବୀ ଉତ୍କଳ ଜନନୀ,-

‘‘ତୁମ୍ଭେ ଛଅ ସଖୀ, ଛଅ ଛିନ୍ନ ଅଙ୍ଗ ମୋର

ମିଶିଲ ମୋ ଦେହେ ଆସି ବହୁକାଳ ପରେ

ଲଭିଲି ମୁଁ ହୃତରତ୍ନ, ଏହିଠାରୁ ବଳି

କିସ ଅଛି ଆଉ-ଶୁଭ, ସନ୍ତୋଷ, ଆନନ୍ଦ ।

ଏବେ ଏହି ପୁଣ୍ୟକ୍ଷଣେ-ଏହି ଶୁଭକ୍ଷଣେ

ମିଳନର ଆଲିଙ୍ଗନ ଦିଅ ସର୍ବେ ମୋତେ ।’’

ଶୁଣି ଏହା ସର୍ବ ସଖୀ, ଅତି ହୃଷ୍ଟ ମନେ

ଉତ୍କଳମାତାଙ୍କୁ କଲେ ପ୍ରେମେ ଆଲିଙ୍ଗନ,

ପ୍ରତି-ଆଲିଙ୍ଗନ କଲେ ସେ ସୁଦ୍ଧା ସଭିଙ୍କୁ ।

ତହିଁ ପରେ ସଖୀଗଣେ ଆଲିଙ୍ଗିଲେ ହର୍ଷେ

ପରସ୍ପରେ, ବିଦ୍ୟୁଲ୍ଲତା ବିଦ୍ୟୁଲ୍ଲତା ପ୍ରାୟ,

ଘୋଷି ଉଚ୍ଚେ ‘‘ସମ୍ମିଳିତ ଉତ୍କଳର ଜୟ ।’’

ବଜାଇଲେ ଦେବୀ ଶଙ୍ଖ, ବହୁକାଳ ପରେ

ବାଜିଲା ବିଜୟ ଶଙ୍ଖ ସଘନେ ଉତ୍କଳେ,

ଶୁଣି ଯାର ରୁଦ୍ରଧ୍ୱନି ପାଞ୍ଚଜନ୍ୟ ପ୍ରାୟ,

ଯାଉଥିଲେ ଅଧେ ତୁଟି ବୈରୀ ବୀର୍ଯ୍ୟ, ଦମ୍ଭ,

ସ୍ୱୟଂ ଆକବର ସାହୁ ପ୍ରତାପୀ ସମ୍ରାଟ

ଥିଲେ ସେହି ଶଙ୍ଖ ଶବ୍ଦେ ଅନ୍ତରେ ଚିନ୍ତିତ ।

ଘୋଷିଲା ସେ ଶଙ୍ଖବର ସଦର୍ପେ, ଗମ୍ଭୀରେ-

‘‘ଜୟ ଜୟ ସମ୍ମିଳିତ ଉତ୍କଳର ଜୟ ।’’

ଉଠିଲା ସାଗର ଗର୍ଭୁ ପ୍ରତିଧ୍ୱନି ତାର-

ତରଙ୍ଗ ଗର୍ଜ୍ଜନେ ମିଶି ପୃଥୁଳ ନିର୍ଘୋଷେ

‘‘ଜୟ ଜୟ ସମ୍ମିଳିତ ଉତ୍କଳର ଜୟ ।’’

ଉଠିଲାକ ପ୍ରତିଧ୍ୱନି ବଡ଼ଦେଉଳରୁ-

(ଉତ୍କଳର ସମୁଦାର ଧର୍ମ-ମାନଦଣ୍ଡ)

‘‘ଜୟ ଜୟ ସମ୍ମିଳିତ ଉତ୍କଳର ଜୟ ।’’

ଉଠିଲା ସେ ପ୍ରତିଧ୍ୱନି ବେଳାବକ୍ଷୁ ପୁଣି

କଂସାରି ଶ୍ୟାମଳ ଦୂର ବାଲିସ୍ତୂପ ଖୋଲୁଁ-

‘‘ଜୟ ଜୟ ସମ୍ମିଳିତ ଉତ୍କଳର ଜୟ ।’’

ଅନନ୍ତର ହାସ୍ୟମୁଖୀ ଉତ୍କଳଜନନୀ,

କହିଲେ ମଧୁର ସ୍ୱରେ ସଙ୍ଗିନୀନିକରେ-

‘‘ଶୁଣ ସର୍ବେ ଏକମନେ କହୁଛି ମୁଁ ଯାହା ।

ମୋ ଅଙ୍ଗ ସଂଯୋଗ ପାଇଁ ପୁତ୍ରମାନେ ମୋର

କରିଛନ୍ତି ବହୁଚେଷ୍ଟା, ବହୁବର୍ଷବ୍ୟାପୀ,

ବ୍ୟଥା ମୋର ରାଜଦ୍ୱାରେ ଗାଇଲେ କରୁଣେ,

କିନ୍ତୁ କି କହିବ ମୋର ଅଦୃଷ୍ଟହୀନତା,

ଆବେଦନ-ନିବେଦନ-ପ୍ରାର୍ଥନା-କାନ୍ଦଣା

ପୁତ୍ରଙ୍କର ମୋର, ସବୁ ହୋଇଗଲା ବ୍ୟର୍ଥ

ଅରଣ୍ୟେ ରୋଦନ ପ୍ରାୟ, ଧନମନ ବ୍ୟୟ

ହେଲା ସବୁ ଅକାରଣ ପାଉଁଶେ ଆହୁତି ।

ପରଶ୍ରୀକାତରଦକ୍ଷା ଭଉଣୀଏ ମୋର

ସାଧିଲେ ବିଷମ ବାଦ-ବହୁ କୂଟ ପାଞ୍ଚି,

ଜାଣିଛ ତ ତୁମ୍ଭେମାନେ ଭଉଣୀର ହିଂସା

ସଉତୁଣୀ ହିଂସାଠାରୁ ବଳେ ଶତଗୁଣେ,

କି ପାଷାଣୀ ସେମାନେ ଗୋ, ଫାଟିଯାଏ ହୃଦ

ସ୍ମରି ତାଙ୍କ ଦୁଷ୍କରଣୀ, ଭଉଣୀ ବୋଲି ସେ

କଲେ ନାହିଁ ଉପରୋଧ, ଚକ୍ଷୁଲଜ୍ଜା ତିଳେ ।

ଘଟାଇଲେ ବହୁବାଧା, ଲଗାଇଲେ କଳି,

ସେ ଦୁର୍ଲଙ୍ଘ୍ୟ ବାଧାମାନ ନ ପାରି ଉଲ୍ଲଙ୍ଘି

ପୁତ୍ରମାନେ ମୋର, ହେଲେ ନାହିଁ ଭଗ୍ନୋତ୍ସାହ,

ଲାଗିଥିଲେ ଆଜିଯାଏଁ ସଙ୍କଳ୍ପ ସାଧନେ ।

ମଧୁ ମୋର ଜ୍ୟେଷ୍ଠପୁତ୍ର, ମାତୃପରାୟଣ,

ମୋ ମହିମା ବୃଦ୍ଧି ପାଇଁ ଉତ୍ସର୍ଗିଲା ପ୍ରାଣ ।

ମହାପ୍ରାଣ ମାନବ ସେ, ଧନମନ ଦେଇ

ଲାଗିଲା ପୂଜାରେ ମୋର ବୀର-ବିକ୍ରମରେ ।

ଅର୍ଜିଅଛି ପୁତ୍ରମଣି ରାଶି ରାଶି ଅର୍ଥ,

କିନ୍ତୁ ହାୟ, ମୋହଲାଗି ହେଲା ଋଣଗ୍ରସ୍ତ,

ତେବେ ସୁଦ୍ଧା ନାହିଁ ତାର ତିଳେହେଁ ଭ୍ରୂକ୍ଷେପ ।

ଲାଗିଛି ସେ କର୍ତ୍ତବ୍ୟରେ ସମାନ ଭାବରେ

ବୃଦ୍ଧ ଏବେ ସେହୁ, ମାତ୍ର କୋଟିଏ ଯୁବକ

ନ ହେବେ ତାହାକୁ ସରି କର୍ମସାଧନରେ ।

ଅମୂଲ୍ୟ ପ୍ରତିଭା, ଆୟୁ ବ୍ୟୟ କଲା ବତ୍ସ

ମାତୃହିତେ, ମାତ୍ର ମୋର କୁଗ୍ରହ ପ୍ରଭାବେ

ସେଭଳି ରଥୀର ଚେଷ୍ଟା ନ ହେଲା ସଫଳ,

ଭାଗ୍ୟ ଅବଳକୁ ବଜ୍ର ଯାଏ ପାଣି ଫାଟି ।

ଶୁଭକ୍ଷଣେ ଭଦେ ହେଲା ପାରଳା ରାଜ୍ୟରେ

କୃଷ୍ଣଚନ୍ଦ୍ର ଗଜପତି-ଗଜପତି-ବଂଶେ

ନବ ସୂର୍ଯ୍ୟରୂପେ, ତାର ପ୍ରତିଭା-କିରଣ

ଉଜ୍ଜ୍ୱଳି ମୋ ବକ୍ଷେ, ଗଲା ଦିଗେ ଦେଗେ ବ୍ୟାପି ।

ସ୍ୱଗୁଣେ ସେ ରାମରାଜ୍ୟ କଲା ପ୍ରତିଷ୍ଠିତ,

କି ବର୍ଣ୍ଣିବି ଗୁଣ ତାର, ପୁତ୍ରମଣି ମୋର

ମୋ ଲାଗି ହୋଇଛି ଆହା, ଯୌବନରେ ଯୋଗୀ

ଛାଡ଼ି ରାଜ୍ୟ ପରିବାର, ନ ଗଣି ଦେହକୁ

କେତେ ଦୁଃଖ ସହି ବତ୍ସ ରାଜ-ଶରୀରରେ,

ଗଲା ଶ୍ୱେତଦ୍ୱୀପେ ( ସପ୍ତଦ୍ୱୀପର ମହୁଡ଼ )

ସୁଦୂର ପ୍ରବାସେ, ତେର ସମୁଦ୍ର ସେପାରେ ।

ଜଣାଇଲା ଚକ୍ରବର୍ତ୍ତୀ ଦରବାରେ ତହିଁ

ସବୁ ଦୁଃଖ ବ୍ୟଥା ମୋର-ଦେଖାଇ ଦାୟିକା,

ଗାଇଲା କରୁଣେ ମୋର ଦୁର୍ଦ୍ଦଶାର ଗୀତ

ମାର୍ମଭେଦୀ ସ୍ୱରେ-ଯୁକ୍ତି ଦେଖାଇ ଅକାଟ୍ୟ ।

ତାହାରି ସେ ସକାତର ନ୍ୟାଯ୍ୟ ପ୍ରାର୍ଥନାରେ

ତିନ୍ତିଲା ସମ୍ରାଟ ହୃଦ ( ଦୟାରେ ସଜଳ )

ତହୁଁ ତାଙ୍କ ଶୁଭାଦେଶେ ଶୁଭ ଦୃଷ୍ଟି ଫଳେ

ସଂଯୋଜିତ ହେଲା ମୋର ବିଖଣ୍ଡିତ ଦେହ ।

କୃଷ୍ଣଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ମୋର ଭାଗ୍ୟ-ନଭେ,

ତାହା ପରି ମାତୃଭକ୍ତ ଧାର୍ମିକ ସୁପୁତ୍ର

ନ ଥିଲି ମୁଁ ଗର୍ଭେ ଧରି ଅତୀତ ଜୀବନେ,

ନ ପାରିବି ଏ ଜନ୍ମରେ ଶୁଝି ତାର ଋଣ ।

ଯାହା ଯୋଗୁଁ ଆଜି ଏହି ଆନନ୍ଦ ଆମ୍ଭର

ଆବର ସୌଭାଗ୍ୟ ସୁଖ-ତ୍ରିଦିବ-ଦୁର୍ଲ୍ଲଭ;

ଦେଲା ଯେହୁ ସମସ୍ତଙ୍କୁ ପୁନର୍ଜୀବ ଦାନ,

ଆଜି ଏ ମଙ୍ଗଳ ଦିନେ, ମହାପୁଣ୍ୟ କ୍ଷଣେ

କର ସେହି କୃଷ୍ଣଚନ୍ଦ୍ରେ ଆଶୀର୍ବାଦ ସର୍ବେ ।’’

ଉତ୍କଳ ଜନନୀଙ୍କର ଏଭଳି ଆଦେଶେ,

ଅଧୀର ହରଷେ ସର୍ବେ ଉଚ୍ଚାରିଲେ ଉଚ୍ଚେ-

‘‘ଜୟ ଗଜପତିରାଜା କୃଷ୍ଣଚନ୍ଦ୍ର ଜୟ ।’’

ବଜାଇଲେ ଦେବୀ ଶଙ୍ଖ, ଘୋଷିଲା ସେ ଗର୍ବେ

‘‘ଜୟ ଗଜପତିରାଜା କୃଷ୍ଣଚନ୍ଦ୍ର ଜୟ ।’’

ଉଚ୍ଚାରି ତ୍ରିବାର ଜୟ, ସଖୀ ସଙ୍ଗେ ଦେବୀ

ଆଶିଷିଲେ-‘‘କୃଷ୍ଣଚନ୍ଦ୍ର, ହୁଅ ଚିରଞ୍ଜୀବ ।’’

ଅନନ୍ତର ପୁତ୍ରପ୍ରାଣା ଉତ୍କଳ ଜନନୀ

କହିଲେ ସଦର୍ପ କଣ୍ଠେ, ସଖୀଗଣେ ଚାହିଁ-

‘‘ଆଉ ଏକ ପୁତ୍ର ମୋର ଚିକିଟି ନୃମଣି,

ଯୁବକ ସେ, କିନ୍ତୁ ବୃଦ୍ଧ-ପ୍ରଜ୍ଞା ପ୍ରତିଭାରେ;

କି ସାହାସ ତାର-ଦେବକୁମାର ସଦୃଶ,

କ୍ଷତ୍ରିୟ ସେ, କ୍ଷାତ୍ର ତେଜେ ଗଢ଼ା ତାର ଦେହ;

ଏକହାତେ ଛିନ୍ନ କରି ଶତ୍ରୁ ଷଡ଼ଯନ୍ତ୍ର

ଅନ୍ୟ ହାତେ ସାଧିଲା ସେ ମୋର ବହୁ ହିତ ।

ସୁଖର କୋମଳ ଅଙ୍କେ ଆବାଲ୍ୟପାଳିତ,

କିନ୍ତୁ ବତ୍ସ, ମୋ ନିମନ୍ତେ ଭୁଞ୍ଜିଲା ଯେ ଦୁଃଖ

ତାହା ବଚନକୁ ବଳେ, ତେଜି କ୍ଷୁଧାତୃଷା

ଆବର ବିଶ୍ରାମ, ନିଦ୍ରା, ବହୁ ସ୍ଥାନେ ଯାଇ

ବସାଇ ସମିତି, ସଭା, ଗାଇଲା ମୋ ଖ୍ୟାତି,

ଆକର୍ଷିଲା ମୋପ୍ରତି ମୋ ପୁତ୍ରଙ୍କର ଶ୍ରଦ୍ଧା ।

ଅବିଶ୍ରାମ ପରିଶ୍ରମେ ହେଲା ସେ ପୀଡ଼ିତ,

ମାତ୍ର କି କହିବି ସଖି, ଧୈର୍ଯ୍ୟ ନିଷ୍ଠା ତାର,

ନ ମଣେ ସେ ରୋଗେ ଦୁଃଖେ, ଶତହସ୍ତ ହୋଇ

ଲାଗିଗଲା ମୋର ଅଙ୍ଗ-ସଂଯୋଗ ବ୍ୟାପାରେ ।

ଡରେ କି ଗୋ ସଖୀ, କେବେ କ୍ଷତ୍ରିୟ ସନ୍ତାନ

ରୋଗେ ଦୁଃଖେ ଭୟେ, ମଣେ ଛାର ସେ ତାହାକୁ,

ଡରିବ କି ଅଗ୍ନିଶିଖା ତୁଚ୍ଛ ତୃଣଗୁଚ୍ଛେ ?

ବଢ଼ୁଛି ତାହାର ଖ୍ୟାତି-ଚନ୍ଦ୍ରକଳା ପ୍ରାୟ,

ଅଦୂର ଭବିଷ୍ୟେ ଦିନେ ନିଶ୍ଚୟ ତା ଶିରେ

ନିୟତି ପିନ୍ଧାଇଦେବ ଯଶର ମୁକୁଟ,

କର ସର୍ବେ ତାହା ନାମେ ଜୟ ଉଚ୍ଚାରଣ ।’’

ଶୁଣି ଏହା ସଖୀମାନେ ସହର୍ଷ ଅନ୍ତରେ

ଉଚ୍ଚାରିଲେ ଉଚ୍ଚସ୍ୱରେ ଦେବୀଙ୍କ ସହିତେ-

‘‘ଜୟ ଗୌରଚନ୍ଦ୍ର ଜୟ ଚିକିଟି ନୃମଣି ।’’

ବଖାଣିଲେ ଏଥୁଅନ୍ତେ ଉତ୍କଳ ଜନନୀ

‘‘ଆଉ ଜଣେ ପୁତ୍ର ମୋର ମଦନମୋହନ

କୃଷ୍ଣସିଂହ ବଂଶମଣି ଧରାକୋଟ-ନାହା,

ବୀରସିଂହ ସେହୁ, ଶତ-ଶାର୍ଦ୍ଦୂଳ-ସଂହାରୀ,

ଜାଗିଲା ସେ କର୍ଣ୍ଣେ ଶୁଣି ମାତୃଡାକ ମୋର ।

କଲା ସେ ଘୋଷଣା ଦମ୍ଭେ-ସିଂହ ବିକ୍ରମରେ

‘‘ନ ମିଶୁ ପଛକେ କେହି, ମାତ୍ର ମୁଁ ନିଶ୍ଚୟ

ମିଶିବି ମୋ ମାତୃ ସହ ଏ ମୋର ପ୍ରତିଜ୍ଞା ।’’

ଏଭଳି ସତେଜ ବାଣୀ-ଦୃପ୍ତ ବୀରବାଣୀ

ବାହାରେ କି ଭୀରୁତୁଣ୍ଡୁ ସିଂହ ବ୍ୟତିରେକେ ?

ବହୁଗଣେ ଗୁଣଧର ପୁତ୍ରମଣି ମୋର,

ତାହା ପରି ସେହି ଏକା ସ୍ୱଦେଶାଭିମାନୀ,

ବିଖଣ୍ଡିତ ଅଙ୍ଗ ମୋର ସଂଯୋଗ ସକାଶେ

କରିଛି ସେ ବହୁ ଯତ୍ନ, ବହୁ ଧନ ବ୍ୟୟ ।

କରୁଛି ମୁଁ ଆଶୀର୍ବାଦ ପୁତ୍ର ପୌତ୍ର ଘେନି

କରୁଥାଉ ରାଜମଣି ରାଜଲକ୍ଷ୍ମୀ ସେବା,

କର ସର୍ବେ ଜୟଧ୍ୱନି ପୁଣ୍ୟ ନାମେ ତାର ।’’

ଏହା କହି ଦେବୀ, କଲେ ଅଗ୍ରେ ଉଚ୍ଚାରଣ-

‘‘ଜୟ ଧରାକୋଟ ପତି ମଦନମୋହନ’’

ତହିଁ ପରେ ସଖୀକଣ୍ଠୁ ଉଠିଲା ସେ ଧ୍ୱନି

ପ୍ରତିଧ୍ୱନି ପ୍ରାୟ, ଦେଲେ କରତାଳି ସର୍ବେ ।

ପୁନଶ୍ଚ କହିଲେ ଦେବୀ, ‘‘ଶୁଣ ସଙ୍ଗିନୀଏ,

ଆଉ ଏକ ପୁତ୍ର ମୋର ମହା ବିଦ୍ୟାବନ୍ତ,

ରାଜନ୍ୟ-ବାଞ୍ଛିତ ସର୍ବ ସଦ୍‌ଗୁଣ-ଗରିଷ୍ଠ,

ଘୋଷେ ତାର ଯଶ ଖ୍ୟାତି ମହୋଦଧି-ଜେମା

ସୁଷମା ସୃଷ୍ଟିର ଚାରୁ ଚନ୍ଦ୍ରିକା ଚିଲିକା

ଉଚ୍ଚକଣ୍ଠେ, ଘୋଷେ ପୁଣି ‘ନିର୍ମଳ ନିର୍ଝର’

ର୍ଝର୍ଝର ଝଙ୍କାରେ ସଦା ଆଦିବାରଜନୀ ।

ସେହି ରାଜା ରାମଚନ୍ଦ୍ର ରାମଚନ୍ଦ୍ରୋପମ

ରୂପେ ଗୁଣେ ଶୀଳେ ଧନ୍ୟ ସାଧୁ ସଦାଶୟ,

କରିଛି ସଙ୍କଟେ ବହୁ ସହାୟତା ମୋର

ଲାଗିଥିଲା ଯେବେ ମୋର ଭାଗ୍ୟର ପରୀକ୍ଷା,

ମୋ ପାଇଁ ଅନଳକୁଣ୍ଡ ଥିଲେକ ସଜାଡ଼ି

ଭଗ୍ନୀପୁତ୍ରେ ମୋର, ତହିଁ ଦେଇଥାନ୍ତେ ପେଲି,

ସେ ବିପଦୁ ରାମଚନ୍ଦ୍ର ଉଦ୍ଧାରିଛି ମୋତେ ।

ନୀରବ କର୍ମୀ ସେ, ତାର ଦକ୍ଷିଣ ହସ୍ତର

କାର୍ଯ୍ୟ, ପାରେ ନାହିଁ ଜାଣି ବାମହସ୍ତ କେବେ,

ପ୍ରିୟ ପୁତ୍ର ସେ ମୋହର, ମହା-ଉପକାରୀ,

କର ତାହା ନାମେ ଉଚ୍ଚେ ବିଜୟ ଘୋଷଣା ।’’

ଏହା କହି ଦେବୀ, ଦେଲେ ନିଜେ ହୁଳାହୁଳୀ,

ଉଚ୍ଚାରିଲେ ସଖୀଗଣେ ହର୍ଷବୋଳା କଣ୍ଠେ-

‘‘ଜୟ ଖଲ୍ଲିକୋଟ-ନୃପ ରାମଚନ୍ଦ୍ର ଜୟ ।’’

ପୁନଶ୍ଚ କହିଲେ ଦେବୀ-‘‘ଶ୍ରୀ ବିକ୍ରମ ଦେବ

ସୁଯୋଗ୍ୟ ରକ୍ଷକ ସଖୀ ଜୟପୁରୀଙ୍କର,

ମୋର ଯୋଗ୍ୟତମ ପୁତ୍ର, ମହାରାଜା ସେହୁ

କିନ୍ତୁ ବ୍ୟବହାରେ ଋଷି, ନ ଥିଲା ଆସକ୍ତି

ରାଜପଦେ ତାର, ମାତ୍ର ଯୋଗ୍ୟ ଜାଣି ତାକୁ

ବଳେ କଳେ ରାଜଲକ୍ଷ୍ମୀ ମଣ୍ଡିଲେ ତା ଶିରେ

ନୃମଣି-ମୁକୁଟ, ପୁଣ୍ୟ ଦକ୍ଷହସ୍ତ ତାର

ଆର୍ଦ୍ର ସଦା ଦାନବାରି ଗଣ୍ଡୁଷ ଧାରଣେ ।

ମୋ ଅଙ୍ଗ ସଂଯୋଗ ପାଇଁ ପୁତ୍ରମଣି ମୋର

କରିଅଛି ଯେତେ କାର୍ଯ୍ୟ କରାଇଛି ତେତେ,

ଉଚ୍ଚାର ତା’ ନାମେ ସର୍ବେ ଜୟ ଜୟବାଦ ।’’

ଅନନ୍ତର ଦେବୀ, ତୋଳି ଊର୍ଦ୍ଧ୍ୱେ ବେନି ବାହୁ

ଉଚ୍ଚାରିଲେ ଉଚ୍ଚେ-‘ଜୟ ଶ୍ରୀ ବିକ୍ରମଦେବ

ତହିଁପରେ ସଖୀଗଣେ କଲେ ଜୟଧ୍ୱନି ।

ଶ୍ରୀ ବ୍ରଜମୋହନ ଦେବ କଳାହାଣ୍ଡି ନୃପ

ସୁପ୍ରସିଦ୍ଧ ନାଗବଂଶ ସମୁଜ୍ଜ୍ୱଳ ମଣି,

ଉତ୍କଳ-ନଗାଧିରାଜ ଉତ୍କଳ-ହିମାଦ୍ରି

ଉତ୍ତୁଙ୍ଗ ନିୟାମଗିରି ଶ୍ରେଷ୍ଠ ପ୍ରଜା ତାର,

ଭେଟେ ତା ଛାମୁରେ ଅର୍ପି ସୁରଭି ଚନ୍ଦନ ।

ମହାଯଶା ମହୀପତି ସେହୁ, ମାତୃଭକ୍ତ,

ମୁକ୍ତହସ୍ତେ ଅର୍ଥ ବ୍ୟୟ କଲା ସେ ମୋ ପାଇଁ,

ହିତୈଷୀ ପୁତ୍ର ସେ ମୋର, ବୋଲ ସଜନୀଏ,

‘ଜୟ ଜୟ ମହାରାଜା ଶ୍ରୀ ବ୍ରଜମୋହନ’

କଲେ ତହୁଁ ଜୟଧ୍ୱନି ସଖୀଏ ତ୍ରିବାର ।

ଆଉ କେତେ କୃତୀ ପୁତ୍ର ମୋ ଉଦ୍ଧାର-ଯୋଗେ

ଘୃତ-ପୁଷ୍ପ-ଯଜ୍ଞ-କାଷ୍ଠ-ଅକ୍ଷତସ୍ୱରୂପେ

ବ୍ୟୟ କରି ଧନ, ବଳ, ବୁଦ୍ଧି, ପରମାୟୁ,

ହୋଇଛନ୍ତି ସାହା ମୋର ପୂର୍ଣ୍ଣାଙ୍ଗ ପ୍ରାପ୍ତିରେ,

ସହି କେତେ ଥଟ୍ଟା, ଗାଳି, ନିନ୍ଦା, ଅପମାନ ।

ମୋ ଶ୍ରୀକୃଷ୍ଣ ମହାପାତ୍ର ବୀର, ଧନୁର୍ଦ୍ଧର,

ବାସ୍ତବରେ ମହାପାତ୍ର ସେହୁ, ଦେଖାଇଲା

ରାଜଦ୍ୱାରେ ଓଡ଼ିଆର ପ୍ରତିଭା ପ୍ରଭାବ ।

ଲକ୍ଷ୍ମୀବନ୍ତ ଲକ୍ଷ୍ମୀଧର ରାୟବାହାଦୁର

ମୋର ଦକ୍ଷପୁତ୍ର, ତାର ସାର୍ଥକ ଉପାଧି ।

ଗୁଣଧର ପୁତ୍ର ମୋର ଭିକାରୀଚରଣ

ଏଣ୍ଡିବିଦ୍ୟା ପ୍ରବର୍ତ୍ତକ, ନବହୁନ୍ଦରିଆ,

କର୍ମବୀର, ମାତୃଭକ୍ତି ଆଦର୍ଶ ତାହାର ।

ଧର୍ମ-ଯୁଧିଷ୍ଠିର ପ୍ରାୟ ଶ୍ରୀବ୍ରଜସୁନ୍ଦର

ମାତୃପ୍ରାଣ, ମାତୃଦୁଃଖେ କାନ୍ଦେ ତା ଅନ୍ତର

ମୋ ସେବାରେ ଉତ୍ସର୍ଗ ସେ କରିଅଛି ପ୍ରାଣ ।

ଓକିଲ ବିଚିତ୍ରାନନ୍ଦ, ରାଧାନାଥ ପତି,

ଧାଇଁ ଧାଇଁ ହୋଇଛନ୍ତି ହାଲିଆ ମୋ ଲାଗି ।

କାନ୍ଦ ମାଡ଼େ ସୁମରିଲେ ଗୋଦାବରୀ ଗୁଣ,

ମୋ ପାଇଁ ସେ ଭାଇ ହାତୁ ଖାଇଛି ପ୍ରହାର

ଅକାତରେ, ହସି ହସି ଭୁଲିଛି ସେ ବ୍ୟଥା,

ମୋ ଅଙ୍ଗ ସଂଯୋଗ ପାଇଁ ଆଖିଦେଖା ଭଳି

କରିଛି ବହୁତ କାର୍ଯ୍ୟ ପୁତ୍ରମଣି ମୋର ।

ଦକ୍ଷ ରାଜ-କର୍ମଚାରୀ ଦାମୋଦର ରଥ

ଅର୍ଜିଛି ପ୍ରତିଷ୍ଠା ନିଜ ଯୋଗ୍ୟତା ବଳରେ,

ମୋର ସ୍ୱାଧୀନତା ପାଇଁ କରିଛି ସେ କାର୍ଯ୍ୟ

ରାଜଦ୍ୱାରେ, ବାହାରରେ ଶକ୍ତି ଅନୁଯାୟୀ ।

ଭୁବନବିଖ୍ୟାତ ମୋର ତନୟ ଭୁବନି,

ଉଚ୍ଚ କଳାବିଦ୍ୟାରେ ସେ ପଟୁ, ଧୁରନ୍ଧର,

ଯୁଝିଲା ମୋ ଲାଗି ସେହୁ ଲାଟ-ଦରବାରେ

ଲଭିଲା ବିଜୟ, ଯଶ, ପ୍ରତିଷ୍ଠା ବିପୁଳ ।

ସେନାପତି ନୀଳମଣି, ଉତ୍ସାହୀ, ବିଦ୍ୱାନ,

କରିଛି ମୋ କୁଳୋଜ୍ଜ୍ୱଳ ଉଚ୍ଚଶିକ୍ଷା ଲଭି,

ବହିଛି ସେ ଗୁରୁଭାର ରାଜକର୍ତ୍ତବ୍ୟର,

ନାହିଁ ତିଳେ ଅବସର, ତଥାପି ସେ କୃତୀ

ସାଧିଅଛି ଶତହସ୍ତେ ପୁତ୍ରର କର୍ତ୍ତବ୍ୟ ।

ବୃଦ୍ଧ ଲକ୍ଷ୍ମୀନାରାୟଣ ଲକ୍ଷ୍ମୀପୁତ୍ର ମୋର,

ଧାଇଁ ଧାଇଁ ଦିନରାତି ମୋଲାଗି ସତତ

ସହିଛି ଆୟାସ ବହୁ, ଜୀର୍ଣ୍ଣ ଶରୀରରେ,

ତେଜରେ ଯୁବକ ତାକୁ ନ ହେବେ ସମାନ ।

ନିଷ୍ଠାପର ମାତୃଭକ୍ତ ଲକ୍ଷ୍ମୀନାରାୟଣ

ଭାରତ-ସେବକ ସଭା ସୁଯୋଗ୍ୟ ସଦସ୍ୟ,

ଗର୍ବିତା ମୁଁ ଗର୍ଭେ ଧରି ତାକୁ, କୁନ୍ତୀ ଯଥା

ସବ୍ୟସାଚୀ ଯୋଗେ, ଦୃଷ୍ଟି ଚାରିଆଡ଼େ ତାର ।

କେଉଁଠି କି କ୍ଷତି ମୋର ରହିଛି ଗୋପନେ

ଜାଣି ତାହା ପୁତ୍ରମଣି କରୁଛି ଚିକିତ୍ସା

ଯଥାଶକ୍ତି, ବିଜ୍ଞ ଦକ୍ଷ ଚିକିତ୍ସକ ପ୍ରାୟ,

ସୌଜନ୍ୟେ ସଲିଳ ସେହୁ ତେଜରେ ଭାସ୍କର,

ଯଥା ଉଚ୍ଚମନା, ତଥା ଉଚ୍ଚଶିକ୍ଷିତ ସେ,

ଇଚ୍ଛିଥିଲେ ପାରିଥାନ୍ତା ଅର୍ଜି ବହୁ ଅର୍ଥ

ମାତ୍ର ତାର ଲକ୍ଷ୍ୟ ନୁହେଁ ତାହା, ଧରିଛି ସେ

ମୋହୋ ଲାଗି ସେବାବ୍ରତ, ପୁଣି ଦୈନ୍ୟବ୍ରତ,

ମୋହଲାଗି ପୁତ୍ରବର ହୋଇଛି ଭିକାରୀ,

ଦେଖାଇଛି ଶୁଭାଦର୍ଶ ଯୁବକ ସମାଜେ ।

‘‘ସହକାର’’ ପୁତ୍ର ମୋର ବହୁ ହିତକାରୀ,

ଅଗ୍ନିମୟୀ ପ୍ରବର୍ତ୍ତନା ଦେଇଛି ସେ ଢାଳି

ମୋର ପୁତ୍ରକନ୍ୟା ପ୍ରାଣେ, ଲେଖନୀ ତାହାର

ଧନ୍ୟ, ସୁସାର୍ଥକ, ହେଉ ସେ ଶୁଭ ଲେଖନୀ

ପୁଷ୍ପାସ୍ତତ, ଏହା ମୋର ପ୍ରାଣର ଆଶିଷ ।

ପ୍ରବୀଣ ଗୋପାଳଚନ୍ଦ୍ର ସାଧୁ ପୁତ୍ର ମୋର,

ବିରଚି ସେ ଭାଷାକୋଷ, ମଧୁକୋଷ ଯଥା,

ଦେଖାଇଛି ଓଡ଼ିଆର ମସ୍ତିଷ୍କ ପ୍ରଭାବ

ପ୍ରତିଭା ଗୌରବ, ଧନ୍ୟ ଲେଖନୀ ତାହାର ।

ମୋ ଅଙ୍ଗ ସଂଯୋଗ ଲାଗି ସେ ନୀରବ କର୍ମୀ,

କରିଅଛି ଅକାତରେ ବହୁ ପରିଶ୍ରମ ।

ହୀରାଖଣ୍ଡ-ରାଜ୍ୟ-ହୀରା ରାମନାରାୟଣ,

ଆବର ଚନ୍ଦ୍ରଶେଖର, ଉଭୟେ ମୋଲାଗି

କରିଛନ୍ତି ଧନ, ମନ, ଅମୂଲ୍ୟ ସମୟ

ଅକୁଣ୍ଠିତେ ବ୍ୟୟ, ଦୁହେଁ ସୁପୁତ୍ର ମୋହର ।

ସୁପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ମୋ ପାଇଁ

ମୁଣ୍ଡଝାଳ ଗୋଡ଼େ ମାରି, ସହି ବହୁ କ୍ଳେଶ

ଲାଗିଅଛି ଅବିରତ କର୍ତ୍ତବ୍ୟ ସାଧନେ ।

କର୍ମବୀର ସୁପୁତ୍ର ସେ, ଧରି ଭିକ୍ଷାବୃତ୍ତି

କରୁଛି ସଂଗ୍ରହ ଅର୍ଥ ବୁଲି ଗ୍ରାମେ ଗ୍ରାମେ,

ସ୍ଥବିର ଶରୀରେ ତାର ଅଛି କେତେ ଶକ୍ତି

ଯୁବକ-ଦୁର୍ଲ୍ଲଭ, ଦେଖି ଲଭେଁ ମୁଁ ବିସ୍ମୟ,

ଓଡ଼ିଆ ଭାଷାର ବୃଦ୍ଧି, ସଂରକ୍ଷଣ ପାଇଁ

ଲାଗିଛି ସେ ବିଦ୍ୟାଳୟ ସ୍ଥାପନେ ସତତ,

ଶତ ବର୍ଷ ପରମାୟୁ ଲଭୁ ସେ ସାହସୀ

ଯଥା ପିତା, ତଥା ପୁତ୍ର, ଉଚ୍ଚୋପାଧିଧାରୀ

ପୁତ୍ର ତାର କରୁଅଛି ସାହାଯ୍ୟ ଜନକେ ।

ମୃତ୍ୟୁଞ୍ଜୟ କାବ୍ୟତୀର୍ଥ ଚନ୍ଦ୍ରି ଗ୍ରାମବାସୀ

ଚନ୍ଦ୍ରଶେଖର-ପାଳିତ, ଆହା ଦ୍ୱିଜମଣି

ସହିଛି ମୋ ଲାଗି ପ୍ରାଣେ ବିଶେଷ ଯାତନା

ତାର ସହକର୍ମୀ ସହ, ବିପକ୍ଷ ହସ୍ତରୁ ।

ସମଗ୍ର ମେଦିନୀପୁର ସିଂହଭୂମି ରାଜ୍ୟୁ

ଦଳେ ଦଳେ ବାହାରିଣ ଶିଷ୍ଟ ପୁତ୍ରେ ମୋର

ଲାଗିଗଲେ କର୍ମେ ସର୍ବେ-ବହୁହସ୍ତ ହୋଇ,

ଅପମାନ, ଅପବାଦ ଦଳି ବାମ ପାଦେ ।

ପ୍ରଫୁଲ୍ଲ, ମୁକୁନ୍ଦ, ନନ୍ଦକିଶୋର ତିନିହେଁ

ଗାଇ ସଭାସମିତିରେ ମୋ ଦୁଃଖ କାହାଣୀ

କାନ୍ଦିଲେ ବିସ୍ତର ପୁଣି କନ୍ଦାଇଲେ ଆନେ,

ନିଜେ କରି କରାଇଲେ ଅପରେ ମୋ କାର୍ଯ୍ୟ ।

ଭଦ୍ରଖ ଭାସ୍କରଚନ୍ଦ୍ର ରାୟ ବାହାଦୁର

ମୋ ସକାଶେ କରିଅଛି ବହୁ ଅର୍ଥ ବ୍ୟୟ,

ସୁପୁତ୍ର ସେ ମୋର, ଦାନେ କଳ୍ପତରୁ ଯଥା,

ଲଭୁ ଦୀର୍ଘ ପରମାୟୁ ମୋର ଆଶୀର୍ବାଦେ ।

ସମାଜ, ନବୀନ, ପୁଣି ଉତ୍କଳଦୀପିକା,

ମୋ ନିମନ୍ତେ କରିଛନ୍ତି ବହୁ ଶକ୍ତି ବ୍ୟୟ ।

ସିଂହ ତୁଲ୍ୟ ଶକ୍ତିଶାଳୀ ଜଗବନ୍ଧୁ ସିଂହ

ଋଗ୍‌ଣା ମାତା ପ୍ରତି ଯେଉଁ କର୍ତ୍ତବ୍ୟ ପୁତ୍ରର,

ପାଳିଛି ସେ ତାହା ତାର ଶକ୍ତି ଅନୁଯାୟୀ ।

କରିଛନ୍ତି ବହୁଚେଷ୍ଟା ମହନ୍ତମଣ୍ଡଳୀ

ରାଧାକାନ୍ତ ଏମାରାଦି ମଠସମୂହର,

ଧର୍ମଗୁରୁ, ଧର୍ମତତ୍ତ୍ୱ ବିଜ୍ଞାତ ସକଳେ

ଅର୍ଜିଲେ ଅକ୍ଷୟ ପୁଣ୍ୟ ଜନନୀ ସେବାରେ ।

ଖ୍ରୀଷ୍ଟାନ ମୁସଲମାନ ପୁତ୍ରମାନେ ମୋର

ଆବର ଦେଶର ସଭା ମସିତି ସକଳ

କରିଛନ୍ତି ରାଜଦ୍ୱାରେ ମୋ ସକାଶେ ଅତି-

ନିବେଦନ ଆବେଦନ ଅନୁନୟ ସହ ।

ଶଶୀ ରଥ-ସୁଭାଷିଣୀ ‘‘ଆଶା’’ ର ଜନକ,

ତେଜସ୍ୱୀ ସେ, ଡରେ ନାହିଁ ବଜ୍ରେ ବା ଅନଳେ,

ମୋ ଅଙ୍ଗ-ସଂଯୋଗ ଅର୍ଥେ ହେଲା ସେ ପାଗଳ,

ଲାଗିଲା ବିଜୁଳି ପରି ଧାଇଁ ନାନାଦିଗେ ।

ଆଉ ଏକ ପ୍ରିୟପୁତ୍ର ବିଶ୍ୱନାଥ ଦାଶ

ଗଞ୍ଜାମ ରଇତ-ବନ୍ଧୁ, ଉଦାର, ଗମ୍ଭୀର,

ବିଚକ୍ଷଣ ବୁଦ୍ଧି ତାର, ଦେଲା ସେ ଦେଖାଇ

ଅକାଟ୍ୟ ପ୍ରମାଣମାଳା ସପକ୍ଷରେ ମୋର ।

ବଞ୍ଚିଥାଉ ଶତବର୍ଷ ସୁଧୀ ନିରଞ୍ଜନ

ପ୍ରତ୍ୟୁତ୍ପନ୍ନ ମତିମାନ, ଯୁବକ ତେଜରେ

ବିରଳ ତା’ ସମ ସରି ଯୁବକମଣ୍ଡଳେ ।

ଲେଖିଛି ସେ ପୋଥି, ଯୁକ୍ତି ପ୍ରମାଣ ଦର୍ଶାଇ

କାର ସାଧ୍ୟ ତାକୁ ତିଳେ କରିବ ଖଣ୍ଡନ,

କରିଛି ସେ ବହୁକାର୍ଯ୍ୟ ସୀମା ସାକ୍ଷ୍ୟ ବେଳେ ।

ସ୍ପଷ୍ଟବାଦୀ ଗୋରାଚାନ୍ଦ ବହୁ ଗୁଣାଧାର

ଲାଗିବ ଯେ କାର୍ଯ୍ୟେ, ତାହା ସାଧିବ ନିଶ୍ଚୟ,

ନିଜର ଅବସ୍ଥା ପ୍ରତି ନକରି ଭ୍ରୂକ୍ଷେପ,

ଲାଗିଛି ସେ ମୋ ନିମନ୍ତେ ଆଦିବାଶର୍ବରୀ,

ଧନ୍ୟ ମୁହିଁ ଅଙ୍କେ ଧରି ତାହା ପରି ପୁତ୍ର,

ବୀରପୁତ୍ର ସେ ମୋହର, ଗଞ୍ଜାମ-ଭୂଷଣ ।

‘‘ପ୍ରଜାବନ୍ଧୁ’’ ସମ୍ପାଦକ ଶ୍ରୀ ଭୁବନେଶ୍ୱର

କରିଛି ମୋଲାଗି ବହୁ ଚିନ୍ତା ଶକ୍ତି ବ୍ୟୟ,

ତାହା ପରି ସ୍ପଷ୍ଟବାଦୀ ନୈତିକ ସାହସୀ

ଅଛନ୍ତି ଅତ୍ୟଳ୍ପ ମୋର ପୁତ୍ରଗଣ ମଧ୍ୟେ ।

ଦୀନବନ୍ଧୁ ଲିଙ୍ଗରାଜ ଉତ୍ସାହୀ ଯୁବକ

ମାତୃପ୍ରାଣ, ମାତୃଭକ୍ତ, ମାତୃହିତବ୍ରତା

ବେନିଏ ମୋ ମୁକ୍ତିଯଜ୍ଞେ ପ୍ରବୀଣ ଯାଜକ,

ନ ଥିଲା ତାଙ୍କର ତର ତେଜିବାକୁ ଶ୍ୱାସ ।

ମଧୁ ବି କରିଛି କାମ ଆଖିଦେଖା ଭଳି

ତୁଷ୍ଟ ମୁହିଁ ପୁତ୍ରୋଚିତ୍ର ବ୍ୟବହାରେ ତାର ।

ଧୁରନ୍ଧର ପୁତ୍ର ମୋର ଶ୍ରୀଉମାଚରଣ

ଯୁବକ ଓକିଲ, ମାତ୍ର ଜ୍ଞାନେ ବର୍ଷୀୟାନ,

କରିଛି ବହୁତ କାର୍ଯ୍ୟ ମୋ ମଙ୍ଗଳ ପାଇଁ ।

ନିତ୍ୟାନନ୍ଦ ମୀନଧାତା ପ୍ରବୀଣ ଓକିଲ

ନାନା ଚେଷ୍ଟା କରି ସେହୁ ସାଧିଛି ମୋହର

ବହୁ ହିତ, ପ୍ରଶଂସ୍ୟ ତା ସ୍ୱଦେଶାଭିମାନ ।

ବୀରପୁତ୍ର ବୈଜ୍ଞାନିକ ଯୁଗଳକିଶୋର

ଯୁଝିଛି ସେ ମସିଯୁଦ୍ଧେ ସେନାପତିରୂପେ ।

ପାରଳାର ହିତୈଷିଣୀ ଆଦର୍ଶ ସମାଜ

କରିଅଛି ମୋ ନିମନ୍ତେ ବହୁ ଲେଖାଲେଖି,

ବିପକ୍ଷରେ ଯୁକ୍ତି-ଅସ୍ତ୍ର ଖଣ୍ଡ ଖଣ୍ଡ କରି

କାଟିଅଛି ପ୍ରତିଅସ୍ତ୍ରେ ଦକ୍ଷ ରଥୀ ପ୍ରାୟ ।

ବିଦ୍ୟାଧର ସିଂହଦେବ ଯୋଗ୍ୟପୁତ୍ର ମୋର,

ତାହା ପରି ସୂକ୍ଷ୍ମଦର୍ଶୀ ସୁପ୍ରତିଭାବନ୍ତ

ବିରଳ ସର୍ବାଥା ନବ୍ୟ ଉତ୍କଳ ସମାଜେ ।

ଛିନ୍ନାଂଶ ସଂଯୋଗେ ମୋର ଅଣ୍ଟା ଭିଡ଼ି ଦୃଢ଼େ

କରିଅଛି ପୁତ୍ରରତ୍ନ ଦୁଃସାଧ୍ୟ ସାଧନ ।

ଛାତ୍ରପୁତ୍ରେ ମୋର ଭାବୀ ଭରସା ସ୍ଥଳ,

କି ବର୍ଣ୍ଣିବି ଏକମୁଖେ ତାଙ୍କର କୃତିତ୍ୱ,

ପାଠ ଛାଡ଼ି, କଷ୍ଟ ସହି ବୁଲି ଗ୍ରାମେ ଗ୍ରାମେ

ଗାଇଣ ମାହାତ୍ମ୍ୟ ମୋର, ସଜୀବ ଭାଷାରେ,

ମତାଇଲେ ଜନଗଣେ, ଧରିବାକୁ ଦୃଢ଼େ-

ମାତୃସମୁଦ୍ଧାର ପୁଣ୍ୟବ୍ରତ ପ୍ରାଣପଣେ ।

ହେଉନ୍ତୁ ବାଳୁତେ ମୋର ଦୀର୍ଘାୟୁ, ଯଶସ୍ୱୀ,

ଏହି ଆଶୀର୍ବାଦ ମୋର ତ୍ରିକାଳ ସନ୍ଧ୍ୟାରେ ।

ଶୁଣି ପୁଣି ଆଉ ଏକ ଶୁଭ ସମାଚାର,

କହିବା ବେଳକୁ ତାହା ଉଠୁଛି ମୋ ହିଆ,

ଅପୂର୍ବ ଉଲ୍ଲାସେ ଫୁଲି, ସୁଖରେ ଉଛୁଳି,

ମୋ ଗୌରବ ବୃଦ୍ଧି ପାଇଁ କନ୍ୟାମାନେ ମୋର

ସହିଛନ୍ତ ବହୁକ୍ଳେଶ, ଦ୍ୱାରେ ଦ୍ୱାରେ ବୁଲି

ମାଗିଛନ୍ତି କାନି ପାତି ଭିକ୍ଷା, କେହି ଅବା

ଦେଇଛି ଆନନ୍ଦେ କାଢ଼ି ଅଙ୍ଗୁ ଅଳଙ୍କାର ।

ଆହା, କି ଦୁର୍ଲଭ ମନ, ଦୁର୍ଲଭ ହୃଦୟ,

ଦେଇଛି ନିୟତି ତାଙ୍କ କୋମଳ ପ୍ରାଣରେ

ଦେଶଭକ୍ତି ଶୁଭଦୀକ୍ଷା, ବହୁକାଳ ପରେ

ବୁଣିଛି ଉତ୍କଣ୍ଠା-ବୀଜ ହୃଦୟେ ତାଙ୍କର,

ପାରିଛନ୍ତି ଚିହ୍ନି ଏବେ ଦେଶମାତାକୁ ସେ,

ମଙ୍ଗଳ ଲକ୍ଷଣ ଏହା-ଆଶାର ପ୍ରଭାତ ।

ନାରୀର ଗୌରବ, ପୁଣି ନାରୀର ଆସନ

ପାରିଲେଣି କଳି, ଏହା ଅନ୍ଧାରେ ଆଲୁଅ,

ସୁଖ-ଶ୍ରୀ-ସୌଭାଗ୍ୟ-ସ୍ୱାସ୍ଥ୍ୟ ଭୁଞ୍ଜନ୍ତୁ ସକଳେ

ଏହି ସୁକଲ୍ୟାଣ ମୋର ପ୍ରିୟ କନ୍ୟାଗଣେ ।

କେତେ ମୁଁ କହିବି ସଖି, ଜାଣ ତ ସକଳେ

ସବୁ କଥା, ଅଛନ୍ତି ଗୋ ଆହୁରି ଅନେକ

ମାତୃପ୍ରାଣ ମାତୃପ୍ରାଣା ପୁତ୍ରକନ୍ୟା ମୋର,

ସାଧିଛନ୍ତି ସାଧ୍ୟମତେ ମାତୃମହୀ ହିତ,

କର ମଧୁପାନ ତାଙ୍କ ମଙ୍ଗଳ ମନାସି ।’’

ତହୁଁ ସିଂହଭୂମିଦତ୍ତ ମଧୁଚକ୍ର ଆଣି

କଲେ ସର୍ବେ ମଧୁପାନ, ଦେବୀଙ୍କ ସହିତେ-

ପରମ ଉଲ୍ଲାସେ, ତାଙ୍କ ପୟରେ ପ୍ରଣମି ।’’

ଦେବତା ପହଡ଼ଭଙ୍ଗ ବାଦିତ୍ର ଏ କାଳେ

ବାଜିଲା ସଘନେ ଉଚ୍ଚେ ବଡ଼ଦେଉଳରେ,

ଆସିଲା ସେ ସ୍ୱର ଭାସି ସିନ୍ଧୁଗାମୀ ବାତେ

ଭକ୍ତକଣ୍ଠ ବିନିଃସୃତ ପ୍ରଭାତୀ ଗୀତର

ଅମୃତ ମୂର୍ଚ୍ଛନା ସହ, ସେ ପବିତ୍ର ସ୍ୱର

କଲା ବାୟୁମଣ୍ଡଳକୁ ନିର୍ମଳ, ପାବନ,

ହରିନେଲା ବାହ୍ୟଜ୍ଞାନ ଶ୍ରୋତା କଳେବରୁ,

ଏକ ହେଲା ପାଞ୍ଚ ମନ, ପଚିଶ ପ୍ରକୃତି,

କେଉଁ ସ୍ୱପ୍ନ-ସୁଖସ୍ୱର୍ଗେ ବିହିରିଲା ମନ ।

ଆହା, କି ମଧୁର କାଳ, ଗଗନ ପବନ

ଧରା, ସବୁ ମଧୁମୟ, ଶିଶିର ଛଳରେ

ବର୍ଷେ ମଧୁ ଦେବଲୋକୁ, ମୁକ୍ତାଫଳ ପ୍ରାୟ ।

ଜାଗେ ମନେ ଧର୍ମଭାବ, ଶ୍ରୀକ୍ଷେତ୍ରେ ଏ କାଳେ

ଉଡ଼ିବୁଲେ ଧର୍ମଭାବ ପ୍ରଭାତୀ ସମୀରେ ।

କି ଏକ ସୁସ୍ୱାଦୁରସେ ଅନାସ୍ୱାଦପୂର୍ବ

ପୁରିଉଠେ ହୃଦ ପ୍ରାଣ ଆତ୍ମା, ଅଲକ୍ଷ୍ୟରେ ।

ବିଷୟ-ବସନାତିକ୍ତ କଳୁଷ ସ୍ୱଭାବ

ହୋଇଉଠେ ମଧୁମୟ ଅମୃତ ସମାନ ।

ଏ କାଳେ ଅମରବୃନ୍ଦ ଦିବ୍ୟ ଜ୍ୟୋତିଯାନେ

ଆସନ୍ତି ଓହ୍ଲାଇ ସ୍ୱର୍ଗୁ ସ୍ୱର୍ଗଦ୍ୱାର ପଥେ,

ଜଗବନ୍ଧୁ ପୁଣ୍ୟାରତି ଦର୍ଶନ ମାନସେ,

ତାଙ୍କ ବିମାନର ତୀବ୍ର ଉଜ୍ଜ୍ୱଳ ପ୍ରଭାରେ

ଦିଶେ ତାରାସୁନ୍ଦରୀଙ୍କ ବଦନ ମଳିନ ।

ପ୍ରବାଳ-ପାଟଳ ଦ୍ୱାର ଫେଡ଼ି ଉଷାରାଣୀ,

ଦେଖାଇଲା ପ୍ରାଚୀକୋଳେ ରୂପର ମାଧୁରୀ,

ପିନ୍ଧି ଭାଲେ କୁଆଁ ତାରା-ହୀରକ ଟିକିଲି ।

ହସିଲା ସେ ଚାହିଁ ସରେ କମଳିନୀ ମୁଖେ,

ରବିରାଜ ଦୂତୀ ବାଳା, ରାଜବିଜେ ବାର୍ତ୍ତା

ପ୍ରେରିଲା ସେ ବାୟୁମୁଖେ ରବିପ୍ରିୟା ପାଶେ ।

ଶୁଣି ସେହି ଶୁଭବାର୍ତ୍ତା ରବିରାଜରାଣୀ

କମଳିନୀ, ଉଠିଲାକ ଆନନ୍ଦେ ଶିହରି ।

ଆସିଲା ସିନ୍ଦୂରା ଫାଟି କେତେ କ୍ଷଣ ପରେ,

ଫିକା ପଡ଼ିଗଲା କ୍ରମେ ଉଷା ରକ୍ତାଧର,

ଦଣ୍ଡକ ପୂର୍ବରେ ଯେହୁ ପଡ଼ୁଥିଲା ଫାଟି

ରୂପଗର୍ବେ, ଦିଶିଲା ସେ ଏବେ ଫିକା, ହାୟ

କାହିଁ ଗଲା ରୂପଜ୍ୟୋତି, କାହିଁ ଗଲା ଗର୍ବ,

ଚିର ନୁହେଁ କାହା ଦର୍ପ ଏ ମହୀମଣ୍ଡଳେ ।

ଧନ, ମାନ, ରୂପଆଦି ଅସ୍ଥାୟୀ ସମ୍ପଦେ

ଦର୍ପ କରେ ଲୋକ, ମାତ୍ର ଜାଣେ ନାହିଁ ମୂଢ଼

ଦିନେ ତା ଛଡ଼ାଇ ନେବ କାଳ-ଦର୍ପହର,

ସମ୍ପଦର ଛାୟା ସିନା-ଅସ୍ଥାୟୀ ସମ୍ପଦ,

ଯିବା ପାଇଁ ଆସେ ତାହା, ସ୍ୱଳ୍ପାୟୁ ସେ ଅତି ।

ଭାଷିଲେ ଉତ୍କଳ ଦେବୀ ସଖୀଗଣେ ଚାହିଁ-

‘‘ବାଜୁଅଛି ଏହି ଶୁଣ ବଡ଼ଦେଉଳରେ

ମଙ୍ଗଳ ଆଳତି ବାଦ୍ୟ, ରଟିଲାଣି ଉଚ୍ଚେ

କୁକୁଟ ମୁକୁଟ ଟେକି, ପ୍ରାତଃ ବୈତାଳିକ ।

ନାହି ତ ବିଳମ୍ବ ଆଉ ପାହିବାକୁ ରାତି,

ଯିବ ଗୋ ଏବେ ମୁଁ ସଖି, ଯାହାଙ୍କ ପ୍ରସାଦେ

ପାଇଲି ମୁଁ ପୂର୍ଣ୍ଣ ତନୁ, ଯାହାଙ୍କ କୃପାରୁ

ଘଟିଲା ମିଳନ ସୁଖ-ମିଳନ ଆନନ୍ଦ

ଆମ୍ଭ ଭାଗ୍ୟେ, ବହୁ ଯୁଗ ବହୁକାଳ ପରେ,

ସେହି ପ୍ରଭୁ ଜଗତ୍‌ପିତା ଜଗନ୍ନାଥଙ୍କର

ପୟରେ ପ୍ରଣାମ ଯାଇ କରିବି ଏକ୍ଷଣି,

ଜଣାଇବି ପିତୃପାଦେ ପ୍ରାଣ କୃତଜ୍ଞତା,

ଅର୍ପିଲେ ସେ ମୋତେ ଯେଉଁ ପୂର୍ଣ୍ଣ କଳେବର

ସେହି କଳେବର ଘେନି ଭେଟିବି ଛାମୁରେ,

ମିଶି ଏବେ ସର୍ବ ସଖୀ ମୋ ଶରୀରେ ଆସି ।’’

ଦେବୀଙ୍କ ଆଦେଶେ ତହୁଁ ଛଅ ପ୍ରିୟ ସଖୀ

ମିଶିଗଲେ ତାଙ୍କ ଦେହେ ଜ୍ୟୋତିରୂପ ଧରି,

ମିଶିଯାଏ ଜଳବିନ୍ଦୁ ଜଳାଶୟେ ଯଥା ।

ରାଜରାଜେଶ୍ୱରୀରୂପେ ଉତ୍କଳଜନନୀ

ତହୁଁ ଗଲେ ପଦବ୍ରଜେ ଦେବ ଦରଶନେ ।

ପ୍ରାତଃ ଧୂପ ପରେ ପ୍ରଭୁ ରତ୍ନ-ସିଂହାସନେ

ହୋଇଛନ୍ତି ଅବକାଶ ବିଜେ, ଖଟିଛନ୍ତି

ଖଟଣୀ ସେବକେ ଯେଝା ସେବା ଉପଚାରେ ।

ଆହା, କି ସୁନ୍ଦର ମୂର୍ତ୍ତି ବିଶ୍ୱବିମୋହନ,

ମସ୍ତକରେ ରତ୍ନଖଚୀ ଭାସ୍ୱର ମୁକୁଟ,

ବକ୍ଷେ ଶୋଭେ ମଣିବର କୌସ୍ତୁଭ ପଦକ,

ମିଶିଛି ତା ଜ୍ୟୋତିରାଶି ପଡ଼ୁ ଅଛି ଝଡ଼ି

ଦାରୁବ୍ରହ୍ମ କଳେବରୁ-ମହାପ୍ରଭୁଙ୍କର,

ଦିଶୁଛି ମଳିନ ତହିଁ ସ୍ୱର୍ଣ୍ଣଦୀପ ଶିଖା,

ଯେସନ ତାରକା ମ୍ଳାନ ଶଶାଙ୍କ ପ୍ରଭାରେ ।

ଶୀତଳ, ପ୍ରସନ୍ନ ଦୃଷ୍ଟି, ଝଡ଼ିପଡ଼େ ହାସୁ

ସ୍ନେହ-ପ୍ରେମ-ଦୟା-କ୍ଷମା ମଣିରତ୍ନମାଳା ।

ଭାବମୟ ମୂର୍ତ୍ତି ଯେହ୍ନେ ଗଢ଼ା ମହାଭାବେ,

ସେ ଉଦାର ପିତୃମୂର୍ତ୍ତି ନିରେଖିବା ମାତ୍ରେ

ଅଜ୍ଞାତରେ ଭକ୍ତି, ପ୍ରୀତି ବାହାରି ହୃଦୟୁ

ଲୋଟିଯାଏ ସେ ଶ୍ରୀମୂର୍ତ୍ତି ଶ୍ରୀପଦ-କମଳେ ।

ଡାକୁଛନ୍ତି ଭକ୍ତମାନେ ପ୍ରଭୁ ସମ୍ବୋଧନେ,

ଦୁଃଖୀ ଡାକେ ଆର୍ତ୍ତସ୍ୱରେ ପିତା ପିତା ବୋଲି,

ଉଠୁଅଛି ଶୋକୀ କଣ୍ଠ-ମଣିମା, ମଣିମା,

ଏ ସମୟେ ମିଳି ତହିଁ ଉତ୍କଳଜନନୀ

ନମିଲେ ଶ୍ରୀପଦେ, ବୋଳି ହୋଇ ତହିଁ ପରେ

ପୁଣ୍ୟ ପ୍ରଭୁ ପାଦରେଣୁ ମସ୍ତକେ, ଶରୀରେ,

କହିଲେ ଗଦ୍‌ଗଦ କଣ୍ଠେ-‘‘ପିତଃ, କେଉଁ ପାପେ

ବିହିଥିଲ ଅଭାଗିନୀ କନ୍ୟା ପ୍ରତି ତବ

ନିଦାରୁଣ ଶାସ୍ତି, ହୋଇ ଖଣ୍ଡ ଖଣ୍ଡ ମୁହିଁ

ଭୁଞ୍ଜିଛି ଯେ କ୍ଳେଶ, ତାହା ନ ପାରିବି କହି,

ସୁମରିଲେ ସେ ଯନ୍ତ୍ରଣା, ଥରିଉଠେ ଆତ୍ମା

ଶୁଖିଯାଏ ଦେହୁ ରକ୍ତ ଭୟର ଉତ୍ତାପେ ।

ଏତେ କାଳ ପରେ ତବ କୃପା-ସିଂହାସନ

ଟଳିଲା ଏ କନ୍ୟାଦୁଃଖେ, ତୁମ୍ଭେ ମୋର ପିତା,

ଦୟାର ହୃଦୟ ତବ କେତେ କାଳ ଆଉ

ରହନ୍ତା ବା ଧୀରସ୍ଥିର ସନ୍ତାନ ଦୁଃଖରେ ।

ଅଦ୍ୱିତୀୟ, ଅନୁପମ ପିତୃତ୍ୱ ତୁମ୍ଭର,

ବର୍ଷିଲା ଅମୃତ ତହୁଁ ମୋ କ୍ଷତ ଉପରେ,

ବିଶଲ୍ୟକରଣୀ ତାହା ଅବ୍ୟର୍ଥ ପ୍ରଲେପ,

ଯୋଡ଼ିଗଲା ଅଙ୍ଗ ମୋର ତାହାରି ପ୍ରଭାବେ ।

ଅଶୋଧ୍ୟ ମୋ ପକ୍ଷେ ପିତଃ ତୁମ୍ଭ କୃପା-ଋଣ,

ଘେନାହେଉ ଶ୍ରୀଛାମୁରେ ଭକ୍ତି କୃତଜ୍ଞତା,

ଏତିକି କେବଳ ଅଳି ଶ୍ରୀପଦେ ଦାସୀର,

ଦୀନ ଉପହାର ଏହା-ଏ ଦୀନ କନ୍ୟାର,’’

କହୁଁ କହୁଁ ଏହା ଦେବୀ ପକାଇଲେ କାନ୍ଦି

ଅଭିମାନୀ ଶିଶୁପ୍ରାୟ କଇଁ କଇଁ ହୋଇ ।

ଉଠି ଆସି ସିଂହାସନୁ ତହୁଁ ଜଗନ୍ନାଥ

ଜଗତର ଦୁଃଖହାରୀ-ଜଗତ-ଗୌରବ,

ଉତ୍କଳଦେବୀଙ୍କ ନେତ୍ରୁ ପୋଛିଦେଇ ଲୁହ

କୁଞ୍ଚକାନିରେ ନିଜର, ମୃଦୁ ମୃଦୁ ହସି

କହିଲେ ସାନ୍ତ୍ୱନା ଦେଇ-ମଧୁମଖାସ୍ୱରେ-

‘‘କାନ୍ଦନା ବାନ୍ଦନା ଝିଅ ବାନ୍ଦନା ଲୋ ଆଉ,

ଏବେ ତୋର ଦୁଃଖଦିନ ଗଲାଣି ତ ଚାଲି,

ଭୁଞ୍ଜିବୁ ତୁ ସୁଖ, ଶାନ୍ତି, ଆଧ୍ୟାତ୍ମ ଉନ୍ନତି ।

ଭୋଗୁଥିଲୁ ଏତେ କାଳ କର୍ମଫଳ ତୋର,

ସରିଲା ସେ ଏବେ, କିପାଁ ଶୋଚନା ତାଲାଗି ।

ଏ ସଂସାର କର୍ମକ୍ଷେତ୍ର, ଆସେ ନାହିଁ ଜୀବ

କରିବାକୁ କର୍ମ ଖାଲି ଏଠାକୁ ମାଆ ଲୋ,

ଭୁଞ୍ଜିବାକୁ ହୁଏ ମଧ୍ୟ ତାକୁ କର୍ମଫଳ ।

ଭୁଞ୍ଜେ କର୍ମ ମଧ୍ୟରେ ସେ ପୂର୍ବ ଉପାର୍ଜିତ

କର୍ମଫଳ, ମହାଧାରା ନିୟତିର ଏହା,

ଯା ସଞ୍ଚିତ କର୍ମଫଳ, ତାହା ହିଁ ନିୟତି,

ଅନ୍ୟ ଏକ ନାମ ତାର ମହୀରେ ଅଦୃଷ୍ଟ ।

ଅକାଟ୍ୟ ନିୟତି ଧାରା, ସେ ଧାରାକୁ କେହି

ପାରେ ନାହିଁ ଫାଙ୍କି ଦେଇ, ହେଲେ ବି ଦେବତା

ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ କିଛି ମୋର,

ତଥାପି ମାଆ ଲୋ, ମୁଁ ସେ ନିୟତି ଅଧୀନ ।

ପୁଣି କର୍ମ, କର୍ମଫଳ ଦୁଇରୁ ଅନ୍ତର

ମୁହିଁ, ତେବେ ସୁଦ୍ଧା ମୋତେ ଆକଟେ ନିୟତି ।

କଳ୍ପନା ମୋହର କର୍ମ, ନାହିଁ ରୂପରେଖ

ତାର, ସେହି ଶୂନ୍ୟଗର୍ଭ କଳ୍ପନା ନିମନ୍ତେ

ଭୁଞ୍ଜେ ମୁହିଁ ଶାସ୍ତି-ସେହି ନିୟତି ହସ୍ତରେ,

ଅନ୍ୟର କି ଚାରା, ଏଥୁ ବୁଝିବୁ ସହଜେ ।

ନିୟତି ଭୁଞ୍ଜିବା ପାଇଁ ଜନ୍ମେ ଆସି ଜୀବ,

ଡରିବା ସେ ନିୟତିକୁ ନୁହେଁ ପୁରୁଷାର୍ଥ ।

ଦୀନା, ଅଭାଗିନୀ କନ୍ୟା ନୋହୁ ତୁ ଲୋ ମୋର,

ତୁହି ମୋର ଲକ୍ଷ୍ମୀ କନ୍ୟା, ଭାଗ୍ୟବତୀ କନ୍ୟା !

କି ସମ୍ପଦ ନାହିଁ ତୋର ଅକ୍ଷୟ ଭଣ୍ଡାରେ,

କାର ଅଛି ତୋହ ପରି ଗିରୀନ୍ଦ୍ର ମହେନ୍ଦ୍ର,

କାର ଅଛି ତୋର ଯଥା ଚିଲିକା, ଅଂଶୁପା,

କୋଣାର୍କ, ଭୁବନେଶ୍ୱର, ଅଳତି ଶିଖରୀ-

ଚନ୍ଦନଶୀତଳ, ଖଣ୍ଡଗିରି- ଶିଳ୍ପେ ଯାର

ପରାଜିତ ବିଶ୍ୱକର୍ମା ଦେବଶିଳ୍ପିବର ।

ତୋ ପରି କାହାର ଅଛି ଦ୍ୱିତୀୟ ଜାହ୍ନବୀ

‘ଚିତ୍ରୋତ୍ପଳା’, ମହୋଦଧି-ନିଧିର ଆକର,

ଝର, ତୀର୍ଥ, ଦେବାଳୟ, ଘନ ଅରଣ୍ୟାନୀ ।

କେଉଁ ରତ୍ନ କେଉଁ ଧାତୁ କେଉଁ ମହୌଷଧି

ନାହିଁ ତୋ ଭଣ୍ଡାରେ, ଏତେ ଅମୂଲ୍ୟ ସମ୍ପଦ

କାହାର ବା ଅଛି ଆଉ ତୋହୋ ବ୍ୟତିରେକେ ।’’

କହିଲେ ଉତ୍କଳ ମାତା ହସି ତହୁଁ-‘‘ପିତଃ,

ଏ ସର୍ବ ସମ୍ପଦ ଦାତା ତୁମ୍ଭେ ଯେ ମୋହର,

ଏହା କିପାଁ ଶ୍ରୀଛାମୁରୁ ହେଲା ନାହିଁ ଆଜ୍ଞା,

ତୁମ୍ଭେ ମୋର ସମ୍ପଦର ଅତୁଲ୍ୟ ସମ୍ପଦ,

ସକଳ ସମ୍ପଦ ତୁଚ୍ଛ, ତୁମ୍ଭେ ଏକା ସାର ।’’

ଶୁଣି ଏହା ଜଗବନ୍ଧୁ ଭାଷିଲେ ସସ୍ନେହେ-

‘‘ବାୟାଣୀ ଉତ୍କଳ ତୁହି, କିସ ବା ନ ଜାଣୁ,

ଗଛୁ ଜାତ ମଞ୍ଜି, ଥାଏ ମଞ୍ଜି ମଧ୍ୟେ ଗଛ,

ତୁ ମୋର, ମୁଁ ତୋର, ନାହିଁ ତୁ ମୁଁ ମଧ୍ୟେ ଭେଦ,

ତୁ ମୋର ବିହାର ସ୍ଥଳୀ, ଲୀଳା ନିକେତନ,

ପୁଣି ତୁ ମୋ ସ୍ନେହଲତା, ଆଦରିଣୀ କନ୍ୟା,

ତେଜି ମୁଁ ବୈକୁଣ୍ଠଧାମ, ରହିଛି ତୋ ଘରେ,

କି ବିପଦ, କି ଭାବନା, କିବା ଭୟ ତୋର ।

ରହିପାରେ କେତେ କ୍ଷଣ ତୋହର କୁଗ୍ରହ,

କେତେ କ୍ଷଣ ଢାଙ୍କିପାରେ ଖରାକୁ କୁହୁଡ଼ି ।

ଜାଣେ ମୁହିଁ ମତ୍ସରୀଏ ରଟନ୍ତି ତୋ ନାମେ

ହାସ୍ୟକର ଅପବାଦ, ନିନ୍ଦା, ମିଥ୍ୟାଭାଷା

କିଏ କହେ କୁଲିଦେଶ, କିଏ କହେ ଅବା

ଉତ୍କଳ ପାଚକ-ମାତା, ଅନାର୍ଯ୍ୟ-ବସତି,

ମାତ୍ର ତହିଁ ନାହିଁ ସତ୍ୟ, ଅସ୍ୱାଭାବିକ ସେ

ଯଥା ଅଶ୍ୱଡେଣା, କିମ୍ବା ଆକାଶ-କୁସୁମ ।

ନିନ୍ଦନ୍ତି ଯେ ତୋତେ, ସେହି ନିନ୍ଦୁକେ ଆବର

ଛୁଆଁଇ ତୋ ପାଦେ ମଥା, ମଣନ୍ତି କୃତାର୍ଥ,

ଏହିଥିରୁ ବୁଝୁଥିବୁ ତାଙ୍କ ମନୋଭାବ ।

ଭିତରେ ତୋ ପ୍ରତି ଭକ୍ତି, କଟୁକ୍ତି ବାହାରେ,

ସ୍ୱଭାବର ଦୋଷ ତାହା, କୁସଙ୍ଗ କୁଫଳ ।

ଯେଉଁ ମୁଖେ ଉଚ୍ଚାରନ୍ତି କୁଲିଦେଶ, ପୁଣି

ସେହି ମୁଖେ ଉଚ୍ଚାରନ୍ତି ଦେବଦେଶ ବୋଲି,

କରନ୍ତି ସେ ପ୍ରାୟଶ୍ଚିତ୍ତ ସ୍ୱକୃତ ପାପର ।

ତିକ୍ତ ତାଙ୍କ ଭାଷା, ମାତ୍ର ଭାବ ସୁମଧୁର

ଯେସନେ କମଳା ଲେମ୍ବୁ, ଚୋପା ତାର ପିତା,

ସୁସ୍ୱାଦୁ ମଧୁର ରସ ଥାଏ ତା’ ମଧ୍ୟରେ,

ଘେନିବୁ ତୁ ଭାବ ଖାଲି, ନ ଛୁଇଁବୁ ଭାଷା ।

ଭକ୍ତକବିମାନେ ହୋଇ ଭାବରେ ବିଭୋର,

ଚିତ୍ରିଛନ୍ତି ମୋତେ ଘୃଣ୍ୟ ବୀଭତ୍ସ ଚିତ୍ରରେ,

ନାମ ମୋର ଭାବଗ୍ରାହୀ, ଘେନେ ମୁଁ ତାଙ୍କର

ଭାବ ମାତ୍ର, ପରିଗ୍ରହି ଦୂଷିତ ଦୁର୍ଭାଷା ।

ଯାବତ ଥିବ ଏ ସୃଷ୍ଟି, ଚନ୍ଦ୍ର ସୂର୍ଯ୍ୟ ନଭେ

ହେଉଥିବେ ଆତଯାତ, ତାବତ ମାଆ ଲୋ

ପାଉଥିବୁ ପୂଜା ତୁହି ଭାରତମଣ୍ଡଳେ ।

ତୁ ମୋର ପ୍ରାଣର କନ୍ୟା, ତୋତେ ଘେନି ମୁହିଁ

ସମନ୍ୱୟ ଧର୍ମରାଜ୍ୟ କରିଛି ସ୍ଥାପନ,

ବ୍ୟାପିବ ସେ ଧର୍ମପ୍ରଭା, ରବିକର ସହ

ସମଗ୍ର ଜଗତେ, ବତ୍ସ, ଉଠିବ ତୋ ନାମେ

ସର୍ବତ୍ର ବିଜୟ ଧ୍ୱନି, ଧନ୍ୟ ଧନ୍ୟ ପଦ,

ବ୍ୟାପିବ ତୋ ଯଶ, ଖ୍ୟାତି ଧରଣୀମଣ୍ଡଳେ ।

ତୁଟିଯିବ ହିଂସା, ଦ୍ୱେଷ, ଆଭିଜାତ୍ୟ ଦର୍ପ,

ଧର୍ମର ବିପ୍ଳବ-ସେହି ଧର୍ମ ପ୍ରଭାବରେ ।

ସହଜାତ ଅଧିକାର ଲଭିବେ ମାନବ,

ପ୍ରତି ପ୍ରାଣେ ସମୁଦାର ଧର୍ମ ମହାଭାବ

ବିସ୍ତାରିବ ରାଜପଣ-ଅଖଣ୍ଡ ପ୍ରଭାବେ,

ବୁଝିବେ ସକଳ ଜନେ ଧର୍ମର ମହତ୍ତ୍ୱ ।

ନ କରିବେ ଘୃଣା ଆଉ ମାନବେ ମାନବ,

ଅବିଛିନ୍ନ ଭ୍ରାତୃପ୍ରେମେ ବଦ୍ଧ ହେବେ ସର୍ବେ,

ଏକ ଈଶ୍ୱରଙ୍କ ପୁତ୍ର ସମସ୍ତ ମାନବ,

ଏକ ରକ୍ତମାଂସେ ଗଢ଼ା ସମସ୍ତଙ୍କ ଦେହ,

ବୁଝି ଏହା ସର୍ବେ-ଜାତିଧର୍ମ ନିର୍ବିଶେଷେ

ଆଲିଙ୍ଗିବେ ପରସ୍ପରେ, ସ୍ନେହେ ଭ୍ରାତୃଭାବେ,

ପ୍ରେମଧର୍ମେ ଭେଦାଭେଦ ନ ରହିବ କିଛି ।

ତୋ ବକ୍ଷରୁ ଉଠି ସେହି ସତ୍ୟଧର୍ମ ଜ୍ୟୋତି

ଆଲୋକିବ ଧରାମୁଖ ଦିଗେ ଦିଗେ ବ୍ୟାପି ।

ସେହି ଏକୀଭୂତ ଧର୍ମ ଉଦାର ପ୍ରେମର

ଜନନୀ ବୋଲି ତୁ, ହେବୁ ଜଗତ-ନମସ୍ୟା ।’’

ଭାଷିଲେ ଉତ୍କଳ ମହୀ, ଶିରେ କର ଦେଇ-

‘‘ନିସ୍ତରିଲି ନିସ୍ତରିଲି ପ୍ରଭୁ, ଶୁଣି ମୋର

ସୌଭାଗ୍ୟ କାହାଣୀ ପୁଣ୍ୟ ଶ୍ରୀମୁଖରୁ ତବ ।

ସବୁ ତ କରିବ ତୁମ୍ଭେ, ଉପଲକ୍ଷ ମୁହିଁ,

ସାଧିବ ହେ ପିତଃ, କର୍ମ ତୁମ୍ଭେ, ଦେବ କିନ୍ତୁ

ମୋତେ ସେ କର୍ମଫଳର ବିପୁଳ ପ୍ରତିଷ୍ଠା,

କାଳେ କାଳେ ତୁମ୍ଭର ଏ ଛଳନା ହେ ହରି,

ନିଜେ କରି କାଞ୍ଚିଜୟ, ମଣ୍ଡିଲ ମୋ ଶିରେ

ବିଜୟ-ମୁକୁଟ, ମୋତେ ଅର୍ପିଲ ଗୌରବ ।

ଏଭଳି ଅମୂଲ୍ୟ ଦୟା, ଅପାର୍ଥିବ ସ୍ନେହ,

ଅତୁଳ ମମତା-କାହୁଁ ପାଇବି ହେ ଦେବ,

ସମ୍ଭବେ କା ତୁମ୍ଭଠାରେ ଏକା, ଦୟାଧର,

ସେହି ହେତୁ ସିନା ତୁମ୍ଭେ ହୋଇଛ ହେ ପ୍ରଭୁ

ଜଗତର ପିତା, ପ୍ରଭୁ, ଜଗତରକ୍ଷକ ।

ଏ ଅଧମ କନ୍ୟାପ୍ରତି ଏତେ ପିତୃସ୍ନେହ

ଅଛି ବୋଲି ନ ଥିଲି ମୁଁ ଜାଣି, ହେଉ କ୍ଷମା

ଅପରାଧ ମୋର, ପଦେ ଏତିକି ମାଗୁଣି ।

ନ କରେଁ ମୁଁ ଗର୍ବ-କେଉଁ ସମ୍ପଦ ସକାଶେ,

କିନ୍ତୁ ବହେଁ ମନେ ଗର୍ବ ତୁମ୍ଭ କନ୍ୟା ବୋଲି ।

ପିତା ଯାର ଏଡ଼େ ବଡ଼ ମହତ, ଉଦାର,

ହେଉ ପଛେ କନ୍ୟା ତାର ଯେଡ଼େ ଅଭାଜନ,

ମାତ୍ର ନୁହେଁ ଇତର ସେ-କେଶରୀ ଔରସୁ

ନ ଜନ୍ମେ ବାନରୀ, ପିତଃ, ଗର୍ବ ମୋର ଏହା ।

ଭୁଞ୍ଜୁଛି ମୁଁ ତୁମ୍ଭ ଦୟା ପ୍ରତି ନିଃଶ୍ୱାସରେ,

ସେହି ଦୟା କଲା ମୋତେ ପୂର୍ଣ୍ଣାଙ୍ଗ ପ୍ରଦାନ,

ଅତଳ ସାଗର ଗର୍ଭେ ହଜିଥିଲା ମୋର

ପ୍ରାଣମଣି, ଦେଲ ତୁମ୍ଭେ ଆଣି ତାହା ମୋତେ,

କି ତୁଳନା ଅଛି ଆଉ ଏ ମହା ଦୟାର ।

ଉଦ୍ଧାରିଛ, ଉଦ୍ଧାରୁଛ ବହୁକ୍ଳେଶୁଁ ମୋତେ,

କରୁଛ ଖଣ୍ଡନ ପୁଣି ଅଶେଷ ଆପଦ,

ଆସିଛି ମୁଁ ସେଥିଲାଗି, ଜଣାଇବି ବୋଲି

ଅନ୍ତରର କୃତଜ୍ଞତା, ଶ୍ରୀ ପୟରେ ତବ,

ମାତ୍ର ମୋର ମାତୃଭାଷା, ପାରୁ ନାହିଁ କରି

ମଣୁ ହୁଁ ପ୍ରକାଶ ସେହି ପ୍ରାଣର ଭାଷାକୁ ।

ତୁମ୍ଭ ଦୟା ତୁଳନାରେ କୃତଜ୍ଞତା ମୂଲ୍ୟ

ନୁହେଁ ସୁଦ୍ଧା କଡ଼ାକର, ତଥାପି ହେ ପିତଃ,

କହିଥାନ୍ତି ପଦେ ମୋର ମନବୋଧ ପାଇ,

ନ ପାରିଲି ତାହା, ଏ କି ଅଳ୍ପ ମନସ୍ତାପ !

ପ୍ରାଣର ଭାଷାକୁ ବ୍ୟକ୍ତ କଲା ଭଳି ଭାଷା

ହୋଇ ନାହିଁ ସୃଷ୍ଟ, ହାୟ ପାର୍ଥିବ ଭାଷାରେ ।

ତୁମ୍ଭେ ମୋର ଛିନ୍ନ ଅଙ୍ଗ ଯୋଡ଼ିଦେଲ ଦେହେ,

ହେଲି ସୁସ୍ଥ ସବଳ ମୁଁ, ହେଲି କର୍ମକ୍ଷମ,

ଜାଣେ ମୁହିଁ ଖୋଜ ନାହିଁ ପ୍ରତିଦାନ ତୁମ୍ଭେ,

ଦାନ ଏକା ବ୍ରତ ତବ, ମାତ୍ର ମୋର ଜନ୍ମ

ଖାଲି ତୁମ୍ଭ ଦୟାଦାନେ ଋଣୀ ହେବାପାଇଁ ।

ନାହିଁ ପ୍ରତିଶୋଧ ତୁମ୍ଭ ଅନନ୍ତ ଦାନର,

ଶୁଝିବା ନିମନ୍ତେ ତାହା କରିବା କଳ୍ପନା

ହାସ୍ୟାସ୍ପଦ, ଲଜ୍ଜାକର, ବାତୁଳତା ସିନା !

ତୁମ୍ଭେ ପିତା, ସାଧୁଅଛ ପିତାର କର୍ତ୍ତବ୍ୟ,

କନ୍ୟାର କର୍ତ୍ତବ୍ୟ କିନ୍ତୁ କିସ କଲି ମୁହିଁ

ଦେବାକୁ ବଚନ ପଦେ ଅକ୍ଷମ ମୋ ଭାଷା,

ଏହି ଦୁର୍ବଳତା ମୋର ବାଧୁଛି ଆତ୍ମାକୁ ।’’

କହିଲେ ନୀଳାଦ୍ରିନାଥ ଶୁଣି ଏ ଆକ୍ଷେପ,

‘‘ନ କର ତୁ ମନସ୍ତାପ ଉତ୍କଳ ଧରଣି,

ତୋ କହିବା ଆଗୁ, ତୋର ଅନ୍ତରର ଭାବ

କରିଛି ଗ୍ରହଣ ମୁହିଁ, ଲଭିଛି ସଂତୃପ୍ତି ।

ଯାଆ ଲୋ ମାଆ ତୁ ଏବେ, କରୁଛି କଲ୍ୟାଣ-

ହୁଅ ଚିରସୁଖୀ, ତୋର ପୁତ୍ର କନ୍ୟା ସହ ।’’

ଭାଷିଲେ ଉତ୍କଳ ମହୀ-‘‘କେଣେ ଯିବି ପିତଃ,

ଛାଡ଼ି ତୁମ୍ଭ ପାଦପଦ୍ମ ଛାୟା, ସେହି ଏକା

ଚିରାଶ୍ରୟ ସ୍ଥଳ ମୋର, ତାହା ବିନା ମୁହିଁ

ଖୋଜେ ନାହିଁ ସ୍ୱର୍ଗସୁଖ, କିମ୍ବା ମୁକ୍ତିଧନ ।

ରହି ପାଦଚ୍ଛାୟାତଳେ ଖଟିବି ପୟରେ,

ଆବର ସେବିବି ତବ ପବିତ୍ର କୈବଲ୍ୟ,

କେଉଁ ଗୁଣେ ସରି ତାକୁ ସ୍ୱର୍ଗର ଅମୃତ,

ଭୁଞ୍ଜିବି ମୁଁ ସୁଖ, ଶାନ୍ତି, ସନ୍ତୋଷ, ଅଭୟ,

କାହିଁଛି ବା ନିରାପଦ ସ୍ଥାନ ଆଉ ଭବେ

ତୁମ୍ଭ ପଦଛାୟା ବିନା, ବାଞ୍ଛିତ ସେ ମୋର ।

ମୁକ୍ତି ଅବା କେଉଁ ଲୋଡ଼ା, ଯେଉଁଠାରେ ତୁମ୍ଭେ

ମୁକ୍ତି ସେହିଠାରେ, ପ୍ରଭୋ, ତୁମ୍ଭଲାଗି ସିନା

ହୁଏ ମୁକ୍ତି ସୁଖକର, ପୁଣି ମଧୁମୟ ।

ସେବାଠାରୁ ମୁକ୍ତି କେବେ ବଡ଼ ନୁହେଁ, ହରି,

ମୁକ୍ତି ଖାଲି କର୍ମଶୂନ୍ୟ ଅଷାଢ଼ ଜୀବନ,

ନିଶ୍ଚେତନ ଅବସ୍ଥା ସେ, କି ସୁଖ ତହିଁରେ ?

ରହିବି ମୁଁ ଲାଖି, ପିତଃ, ପାଦତଳେ ତବ-

ତୁଳସୀ ମଞ୍ଜରୀ କିମ୍ବା ଭକ୍ତମନ ଯଥା ।’’

ଏହା ଭାଷି ଦେବୀ, ଧରି ସୂକ୍ଷ୍ମ ଜ୍ୟୋତିରୂପ,

ମିଶିଗଲେ ଜଗବନ୍ଧୁ ପୟର ଜ୍ୟୋତିରେ,

ମିଶିଯାଏ ସ୍ୱର୍ଣ୍ଣଜ୍ୟୋତି ଅନଳେ ଯେସନ,

ଅଥବା ଖଦ୍ୟୋତ ଜ୍ୟୋତି ଚନ୍ଦ୍ରିକା ଜ୍ୟୋତିରେ ।

ଭାଙ୍ଗିଗଲା ନିଦ୍ରା ମୋର, ହେଜି ସ୍ୱପ୍ନ କଥା

ଉଠିଲା ଶରୀର, ପ୍ରାଣ, ପୁଲକେ ଶିହରି,

ତହୁଁ ଜଗନ୍ନାଥ ପାଦେ ନୁଆଁଇ ମସ୍ତକ,

ସ୍ୱପ୍ନର ସାଫଲ୍ୟ ଭିକ୍ଷା କଲି ସପ୍ତବାର ।

Image